
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନାରଦ ସ୍କାମ୍ ମାମଲାରେ
ବଢିଲା ଟିଏମସି ନେତାଙ୍କ ଅଡୁଆ । ପଶ୍ଚିମବଙ୍ଗ କ୍ୟାବିନେଟ୍ର ଦୁଇଜଣ ମନ୍ତ୍ରୀ ଫିର୍ହାଦ୍ ହକିମ୍, ସୁବ୍ରତ ମୁଖାର୍ଜୀ ଏବଂ ଦୁଇ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଓ ଶୋଭନ ଚାଟାର୍ଜୀଙ୍କୁ ଗୃହବନ୍ଦୀ ରଖାଯିବ ବୋଲି କଲିକାତା ହାଇକୋର୍ଟ କହିଛନ୍ତି । ଜାମିନ ପ୍ରଦାନକୁ ନେଇ ବିଚାରପତି ମାନଙ୍କ ମଧ୍ୟରେ ଆଜି ମତଭେଦ ଦେଖିବାକୁ ମିଳିଥିଲା। ତେବେ ବିଚାରପତି ମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେବାରୁ ଏହାର ଶୁଣାଣି ତିନି ସଦସ୍ୟ ପୀଠ କରିବେ ବୋଲି କୋର୍ଟ କହିଛନ୍ତି । ଟିଏମସି ନେତାଙ୍କ ଓକିଲ ଅଭିଷେକ ମନୁ ସିଂଘ ଗୃହବନ୍ଦୀ ଆଦେଶ ଉପରେ ରହିତାଦେଶ ପାଇଁ ନିବେଦନ କରିଥିଲେ। ସେ କହିଛନ୍ତି ଗୃହବନ୍ଦୀରେ ରଖିବା ଅର୍ଥ ହେଉଛି ଜେଲ୍ ରେ ରଖିବା। ତେବେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ଲାଗି ବିଚାରପତି ଅରିଜିତ ବାନାର୍ଜୀ ରାଜି ହୋଇଥିବା ବେଳେ କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ୍ ଗୃହବନ୍ଦୀ କରିବା ଲାଗି ଆଦେଶ ଦେଇଥିଲେ। ଏପଟେ ଗୃହବନ୍ଦୀ କୁ ନେଇ ସିବିଆଇ ପକ୍ଷରୁ କେସ୍ ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଅଦାଲତଙ୍କ ନିଷ୍ପତିରେ ଅସନ୍ତୋଷ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ମେ ୧୭ ତାରିଖ ଅର୍ଥାତ୍ ସୋମବାର ଦିନ ସିବିଆଇ ଏହି ଚାରିଜଣ ଟିଏମସି ନେତାଙ୍କୁ ହଠାତ୍ ଗିରଫ କରିଥିଲା। ଆଉ ଏହାକୁ ନେଇ ଦିନ ତମାମ ସିବିଆଇ ଅଫିସ ଆଗରେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା। ସେମାନଙ୍କ ଗିରଫଦାରିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଅଫିସରେ ଧାରଣା ଦେଇଥିଲା। ଏହା ପରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ଚାରି ନେତାଙ୍କୁ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ବିଳମ୍ବିତ ରାତିରେ ହାଇକୋର୍ଟ ଜାମିନ ଆବେଦନ ଖାରଜ କରିଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଅଫିସ ଆଗରେ ଧାରଣା ଦେବାରୁ ମାମଲାକୁ କୋଲ୍କାତାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ‘ସିବିଆଇ’ ଆବେଦନ କରିଛି।