୨୬ ରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ ୟାସ୍ ‘ – ଏସ ଆର୍ ସି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୨୬ରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟାସ୍‌’ । ଅର୍ଥାତ ୨୬ରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ପ୍ରାକ୍‌ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଉତ୍ତର ଓଡ଼ିଶା ଓ ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁବ। ତେବେ ତା’ର ଗତି, ବେଗ ଓ ତୀବ୍ରତା କେତେ ରହିବ, ସେ ନେଇ ଆଇଏମ୍‌ଡି ପକ୍ଷରୁ କିଛି କୁହାଯାଇନାହିଁ। ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ଆଜି ସୂଚନା ଦେବା ବେଳେ ଏହି କଥା କହିଛନ୍ତି। ଏସଆରସି କହିଛନ୍ତି ଯେ, ଆସନ୍ତା ୨୬ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଏହା ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଶନିବାର ବଙ୍ଗୋପସାଗରରେ ଲଘୁଚାପର କେନ୍ଦ୍ର ସୃଷ୍ଟି ହେବ । ଲଘୁଚାପ ୨୩ ତାରିଖରେ ଡିପ୍ ଡିପ୍ରେସନରେ ପରିଣତ ହେବ । ୨୪ରେ ଏହା ସାମୁଦ୍ରିକ ଝଡ ଓ ବାତ୍ୟାରେ ପରିଣତ ହେବ । ତେବେ ଏହି ସମ୍ଭାବ୍ୟ ବାତ୍ୟାର ଗତିପଥ କ’ଣ ରହିବ, କେତେ ବେଗରେ ଏହା ଗତି କରିବ, ତା’ର ଭୟାବହତା କ’ଣ ରହିବ ଓ କେତେ ବର୍ଷା ହେବ, ସେନେଇ ଆଇଏମ୍‌ଡି ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ସେ ସଂପର୍କରେ ଆକଳନ ଚାଲିଛି। କିନ୍ତୁ ଏହି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆମେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରି ଦେଇଛୁ। ସେ ପୁଣି କହିଛନ୍ତି ଯେ, ବାତ୍ୟାସ୍ଥଳରେ ବିଭିନ୍ନ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ବିଦ୍ୟୁତ ସଂଯୋଗ, ଖାଦ୍ୟ, ପାନୀୟ ଜଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଶୁକ୍ରବାରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ମନା କରାଯାଇ ଥିବାବେଳେ ଏନଡିଆରଏଫ, ଓଡ୍ରାଫ ଟିମ୍, ପାଓ୍ୱାର ସପ୍ଲାଇ ଟିମ୍‌କୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏସଆରସି କହିଛନ୍ତି । ଗୁଜରାଟ ଯାଇଥିବା ଏନ୍‌ଡିଆର୍‌ଏଫ୍‌ର ୫ଟି ଟିମ୍‌ ଆଜି ଫେରିବ। ବାତ୍ୟା ‘ୟାସ୍‌’କୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ଏହାର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ। ସେ କହିଛନ୍ତି ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଜଳ ସମ୍ପଦ- ଏହି ତିନି ବିଭାଗର ସମନ୍ୱୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ। ତା’ସହିତ ଗୋଟିଏ ଟୋଲ ଫ୍ରି ନମ୍ବର ଜାରି କରାଯିବ। ଯେଉଁଠି ଯାହା ଅସୁବିଧା ହେବ ସେହି ନମ୍ବରରେ ଲୋକେ ଅଭିଯୋଗ ଜଣାଇ ପାରିବେ।

Related Posts