“ମୋଦୀ ଜୀ କାହିଁକି ଆମ ପିଲାମାନଙ୍କ ଟିକା ବିଦେଶକୁ ପଠାଇଲେ ?”- ପୋଷ୍ଟର ମାରିବାରୁ ୧୫ଗିରଫ , ୧୭ ଜଣଙ୍କ ନାଁରେ ମାମଲା ରୁଜୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କୋଭିଡ୍-19 ଟୀକା ଅଭାବ ନେଇ ବିଭିନ୍ନ ରାଜ୍ୟ ସରକାର ଅଭିଯୋଗ କରୁଛନ୍ତି। କିଛି କିଛି ଜାଗାରେ ଟିକା ଅଭାବରୁ ୧୮ ରୁ ୪୪ ବର୍ଷ ଲୋକଙ୍କର ଟୀକାକରଣ ଅଭିଯାନ ବନ୍ଦ ରହିଛି। ତେବେ ଟିକା ଅଭାବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚକ ପୋଷ୍ଟର ଲଗାଇବା ଅଭିଯୋଗରେ ଦିଲ୍ଲୀ ପୋଲିସ 17 ଜଣଙ୍କ ନାଁରେ ମାମଲା ରୁଜୁ କରିବା ସହ ଏବଂ 15 ଜଣଙ୍କୁ ଗିରଫ କରିଛି। ଏହି ପୋଷ୍ଟରରେ ଲେଖାଥିଲା ଯେ,” ମୋଦୀଜୀ ଆମ ପିଲାମାନଙ୍କ ଟିକା କାହିଁକି ବିଦେଶକୁ ପଠାଇଲେ?” ପୋଷ୍ଟରଗୁଡିକ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିଲା । ଗୁରୁବାର ଦିନ ପୋଲିସ ପୋଷ୍ଟର ବିଷୟରେ ସୂଚନା ପାଇଥିଲା ଯାହା ପରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ଏ ନେଇ ଆଲର୍ଟ କରାଯାଇଥିଲା। ଏବଂ ଅନେକ ଗୁଡ଼ିଏ ଅଭିଯୋଗ ଆଧାରରେ ଆଇପିସିର ଧାରା 188 ଅନୁଯାୟୀ, ୧୭ ଜଣଙ୍କ ନାଁରେ ମାମଲା ଦାୟର ହୋଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ଯଦି ଏ ବାବଦରେ ଅଧିକ ଅଭିଯୋଗ ଆସେ ତେବେ ଆହୁରି ମଧ୍ୟ ଏଫଆଇଆର ପଞ୍ଜୀକୃତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ସହରର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟରଗୁଡିକ କିଏ ମାରୁଛି ତାହା ଜାଣିବା ପାଇଁ ତଦନ୍ତ ଚାଲିଛି ଏବଂ ଏହି ମାମଲାରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପୋଲିସ ସୂଚନା ଦେଇ କହିଛି ଯେ, ଉତ୍ତର ପୂର୍ବ ଦିଲ୍ଲୀରେ ତିନୋଟି ଏଫ୍ଆଇଆର୍ ଦାୟର ହୋଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ପଶ୍ଚିମ ଦିଲ୍ଲୀରେ ତିନୋଟି ଏଫ୍ଆଇଆର୍ ଏବଂ ଆଉଟର ଦିଲ୍ଲୀରେ ଆଉ ତିନୋଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ସହରର ମଧ୍ୟ ଭାଗରେ ଦୁଇଟି ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିବା ବେଳେ ଚାରି ଜଣଙ୍କୁ ଗିରଫ କରାଯାଇଥିଲା। ସେହିପରି ରୋହିଣୀରେ ଦୁଇଟି ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏବଂ ପୂର୍ବ ଦିଲ୍ଲୀରେ ଗୋଟିଏ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିବା ବେଳେ ଚାରି ଜଣଙ୍କୁ ଗିରଫ କରାଯାଇଛି। ଦ୍ୱାରକାଠାରେ ଗୋଟିଏ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା ଏବଂ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା ବୋଲି ପୁଲିସ କହିଛି। ଉତ୍ତର ଦିଲ୍ଲୀରେ ଗୋଟିଏ ମାମଲା ରୁଜୁ ହୋଇଥିଲା ଏବଂ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଏହି ପୋଷ୍ଟରଗୁଡ଼ିକୁ ପେଷ୍ଟ କରିବା ପାଇଁ ତାଙ୍କୁ 500 ଟଙ୍କା ଦିଆଯାଇଥିବା ପୁଲିସ କହିଛି। ଶାହାଦାରେ ଆଉ ଏକ ମାମଲା ରୁଜୁ ହୋଇଥିଲା ଯେଉଁଥିରେ ପୋଲିସ ଘଟଣାର ସିସିଟିଭି ଫୁଟେଜ୍ ଉଦ୍ଧାର କରିଛି ଏବଂ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବାକୁ ଚେଷ୍ଟା କରୁଛି ବୋଲି ପୋଲିସ କହିଛି।

Related Posts