“ଶତ୍ରୁ ଅଦୃଶ୍ୟ ହୋଇପାରେ, କିନ୍ତୁ ଆପଣଙ୍କର ଶାସନର ବିଫଳତା ଭଲଭାବେ ଦୃଶ୍ୟମାନ ହେଉଛି ” : ଜୟରାମ ରମେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କୋଭିଡ୍ ର ଦ୍ଵିତୀୟ ଲହରର ମୁକାବିଲା କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଫଳତାକୁ କଂଗ୍ରେସ ଲଗାତର ସମାଲୋଚନା କରି ଆସୁଛି। ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ “ଅଦୃଶ୍ୟ ଶତ୍ରୁ କୋଭିଡ୍-19” ବୟନାକୁ ନେଇ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ମୋଦୀଙ୍କ ଏହି ବୟାନ କୋଭିଡ୍ ସଙ୍କଟ ଦୂର କରିବାରେ କେନ୍ଦ୍ର ସରକାରଙ୍କ ବିଫଳତା ଦର୍ଶାଉଥିବା ଦଳ ଅଭିଯୋଗ କରିଛି। ଦଳର ବହୁ ବରିଷ୍ଠ ନେତା ଜୟରାମ ରମେଶ, ପି ଚିଦାମ୍ବରମଙ୍କ ସମେତ ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ସରକାରଙ୍କୁ କଡା ଭର୍ତ୍ସନା କରିଛନ୍ତି । ପୂର୍ବତନ କେନ୍ଦ୍ର ପରିବେଶ ମନ୍ତ୍ରୀ ଜୟରାମ ରମେଶ କହିଛନ୍ତି, “ଶତ୍ରୁ ଅଦୃଶ୍ୟ ହୋଇଥାପାରେ ପ୍ରଧାନମନ୍ତ୍ରୀ। କିନ୍ତୁ ଆପଣଙ୍କର ଶାସନ ବିଫଳତା ଭଲ ଭାବରେ ଦୃଶ୍ୟମାନ ହେଉଛି। ” ଏହା ସହ କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି ଯେ, ” ପ୍ରଧାନମନ୍ତ୍ରୀ ମହୋଦୟ ଦେଶର କୋଭିଡ୍ ଯୋଦ୍ଧାମାନେ ଜୀବନ ବଞ୍ଚାଇବା ପାଇଁ ସେମାନଙ୍କ କାର୍ଯ୍ୟ କରୁଛନ୍ତି। କିନ୍ତୁ ଆପଣ କାହିଁକି ସେମାନଙ୍କୁ ସମର୍ଥନ କରୁନାହାଁନ୍ତି? ଆପଣ ଅଦୃଶ୍ୟ ହୋଇଯାଇଛନ୍ତି!”

ଗତ କାଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଦେଶର ଗ୍ରାମାଞ୍ଚଳରେ COVID-19 ଦ୍ରୁତ ଗତିରେ ବ୍ୟାପୁଛି। ଗତ କାଲି ପିଏମ୍ କିଷାନ ଯୋଜନାର ଅଷ୍ଟମ କିସ୍ତି ରିଲିଜ୍ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “୧୦୦ ବର୍ଷ ପରେ ଆସିଥିବା ଏଭଳି ଭୟଙ୍କର ମହାମାରୀ ପ୍ରତ୍ୟେକ ମୁହୂର୍ତ୍ତରେ ବିଶ୍ବକୁ ପରୀକ୍ଷା କରୁଛି। ଆମ ସାମ୍ନାରେ ଏକ ଅଦୃଶ୍ୟ ଶତ୍ରୁ ଅଛି । ଯେଉଁମାନେ ଆମ ନିକଟତର ଥିଲେ ସେମାନଙ୍କ ମଧ୍ୟରୁ ଆମେ ଅନେକଙ୍କୁ ଆମେ ହରାଇଛୁ। ଦେଶବାସୀ ଅନେକ ଯନ୍ତ୍ରଣା ଭୋଗୁଛନ୍ତି । ନିକଟ ଅତୀତରେ, ଅନେକ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେମାନେ ଯେଉଁ ଯନ୍ତ୍ରଣା ଭୋଗୁଛନ୍ତି , ମୁଁ ମଧ୍ୟ ସେହିଭଳି ଅନୁଭବ କରୁଛି”।

ଏହାପୂର୍ବରୁ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ କୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ , “18 ବର୍ଷରୁ ଅଧିକ ଲୋକ (ପ୍ରାୟ 102 କୋଟି)ଙ୍କୁ ଟୀକାକରଣ ପାଇଁ 35,000 କୋଟି ଟଙ୍କା ଖର୍ଚ୍ଚ ହେବ। ସେଣ୍ଟ୍ରାଲ ଭିସ୍ଟା ପ୍ରୋଜେକ୍ଟର କଷ୍ଟ୍ ହେଉଛି 20,000 କୋଟି ଟଙ୍କା ବୋଧହୁଏ ଏହାଠାରୁ ବି ଅଧିକ। ଜଣେ ବ୍ୟକ୍ତିର ଘମଣ୍ଡର ମୂଲ୍ୟ = ଭାରତର ବୟସ୍କ ଜନସଂଖ୍ୟାର ଜୀବନର ମୂଲ୍ୟର 60 ପ୍ରତିଶତ। ଏହା ହେଉଛି ‘ସାବକା ସାଥ, ସାବକା ବିକାଶ’।”

Related Posts