ଜାତୀୟ ସଙ୍ଗୀତ ‘ଜନଗଣ ମନ ଅଧିନାୟକ’ରୁ ଉଭାନ ହୋଇଗଲା ଉତ୍କଳ-ବଙ୍ଗ: ମୁଣ୍ଡ ଟେକିଲା ବିବାଦ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ହିନ୍ଦୀ ବହିରେ ଗୁରୁତର ତ୍ରୁଟି । ଜାତୀୟ ସଙ୍ଗୀତ ‘ଜନଗଣ ମନ ଅଧିନାୟକ’ରୁ ଉଭାନ ହୋଇଗଲା ଉତ୍କଳ-ବଙ୍ଗ । ପାଠ୍ୟ ବହିରେ ଅଧୁରା ଜାତୀୟ ସଙ୍ଗୀତ ପଢୁଛନ୍ତି ଲକ୍ଷ ଲକ୍ଷ ପିଲା । ତୃତୀୟ ଧାଡିର ପଞ୍ଜାବ-ସିନ୍ଧୁ-ଗୁଜୁରାଟ-ମରାଠା ଦ୍ରାବିଡ ପରେ କିଛି ଲେଖା ନଥିବା ଦେଖିବାକୁ ମିଳିଛି । ପ୍ରାୟ ସାଢେ ୨ ଲକ୍ଷରୁ ଅଧିକ ବହିରେ ଏହି ତ୍ରୁଟି ରହିଛି । ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି । ତେବେ ଏହାକୁ ପ୍ରିଣ୍ଟିଂ ଜନିତ ତ୍ରୁଟି ବୋଲି କହିଛନ୍ତି ବିଏସଏସ ପ୍ରକାଶ ସିଂହ ।

ଉତ୍ତରପ୍ରଦେଶ କୌଶମ୍ବୀ ଜିଲ୍ଲାରେ ଥିବା ସରକାରୀ ସ୍କୁଲଗୁଡିକର ପଞ୍ଚମ ଶ୍ରେଣୀ ବହିରେ ଏହି ଭୁଲ୍ ଜାତୀୟ ସଙ୍ଗୀତ ଉଲ୍ଲେଖ ରହିଛି । ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଖାପାଖି ୨ ଲକ୍ଷ ପିଲା ପାଠ ପଢୁଛନ୍ତି । ହେଲେ ପଞ୍ଚମ ଶ୍ରେଣୀ ହିନ୍ଦୀ ବହି ପଛ ମଲାଟରେ ଜାତୀୟ ସଙ୍ଗୀତରୁ ପଞ୍ଜାବ-ସିନ୍ଧୁ-ଗୁଜୁରାଟ-ମରାଠା ଦ୍ରାବିଡ-ପରେ ‘ଉତ୍କଳ-ବଙ୍ଗ’ ଧାଡି ଉଭାନ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । ସ୍କୁଲ ବହିରେ ଲିଖିତ ଜାତୀୟ ସଙ୍ଗୀତରେ ଏହିଭଳି ସାଙ୍ଘାତିକ ତ୍ରୁଟିକୁ ନେଇ କଂଗ୍ରେସ ଭାରତୀୟ ଜନତା ପାର୍ଟି ସରକାରଙ୍କୁ ଟାର୍ଗେଟ କରିଛି ।

ଅନ୍ୟପଟେ କୌଶମ୍ବୀ ଜିଲ୍ଲାର ବିଏସଏ ପ୍ରକାଶ ସିଂହ କହିଛନ୍ତି,” ବହିରେ ଥିବା ଜାତୀୟ ସଙ୍ଗୀତରେ ତ୍ରୁଟି ଏହା କେବଳ ପ୍ରିଣ୍ଟିଂ ଜନିତ ଭୁଲ । ଏହି ଘଟଣା ସମ୍ପର୍କରେ ଅଧିକାରୀଙ୍କୁ ଅବଗତ କରାଯାଇ ତଦନ୍ତ କରାଯିବ ।

Related Posts