ନବୀନ ନିବାସରେ ସାଙ୍ଗ ହୋଇ ମଧ୍ୟାହ୍ନ ଭୋଜନ କଲେ ନବୀନ ଓ ଦ୍ରୌପଦୀ

ଭୁବନେଶ୍ବର: ଦିଲ୍ଲୀ ଫେରିଯିବା ପୂର୍ବରୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନବୀନ ନିବାସ ରେ ପହଞ୍ଚିଥିଲେ। ନବୀନ ନିବାସ ରୁ ତାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ ଥିଲା । ସେଠାରେ ନବୀନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ ଦ୍ରୌପଦୀ। ଏହାପରେ ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ ନବୀନ। ମଧ୍ୟାହ୍ନ ଭୋଜନରେ ଦ୍ରୌପଦୀଙ୍କୁ ପରଷା ଯାଇଥିଲା ସମ୍ପୂର୍ଣ୍ଣ ନିରାମିଷ ଭେଜନ। ଏଥିରେ ଓଡ଼ିଆ ଖାଦ୍ୟ କୁ ପ୍ରାଧାନ୍ୟ ଦିଆଯାଇଥିଲା । ଏହି ସମୟରେ ନବୀନ ନିବାସରେ ପାରିବାରିକ ପରିବେଶ ସୃଷ୍ଟି ହୋଇଥିଲା। ଦ୍ରୌପଦୀ ମୁର୍ମୁଙ୍କ ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟାହ୍ନ ଭୋଜନ ଟେବୁଲ୍ ରେ ଦେଖିବାକୁ ମିଳିଥିଲା। ଦ୍ରୌପଦୀ ମୁର୍ମୁ ଦିନିକିଆ ଓଡ଼ିଶା ଗସ୍ତ ଶେଷ କରି ନବୀନ ନିବାସରୁ ବିମାନବନ୍ଦର ଅଭିମୁଖେ ବାହାରିଥିଲେ।

ଏହାପୂର୍ବରୁ ଦ୍ରୌପଦୀ ବିଧାନସଭାରେ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ଭେଟିଥିଲେ। ବିଧାନସଭାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିଥିଲେ। ଏଥିରେ ଦ୍ରୌପଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡିର ସାଂସଦ ଓ ବିଧାୟକ ମାନଙ୍କ ଠାରୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ସମର୍ଥନ ଲୋଡ଼ିଥିଲେ। ନବୀନଙ୍କୁ ଭାଇ ସମ୍ବୋଧନ କରି ଦ୍ରୌପଦୀ ଭାବପ୍ରବଣ ହୋଇଥିଲେ ବିଧାନସଭା ସମ୍ମିଳନୀ କକ୍ଷରେ। “ମୁଁ ସୁଭଦ୍ରା ଭାବରେ ନବୀନ ଭାଇଙ୍କୁ ଜଗନ୍ନାଥ କରି ରାଖି ବାନ୍ଧିଛି। ଭଉଣୀ କିଛି ମାଗିବା ପୂର୍ବରୁ ଭାଇ ମୋ ମନଚାହିଁ ତାଙ୍କ ସମର୍ଥନ ଓ ସହଯୋଗର ହାତ ମୋତେ ଦେଇଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ବିଦେଶରେ ଥାଇ ବି ନବୀନ ଭାଇ ମୋତେ ଫୋନ୍ କରିଥିଲେ” କହିଛନ୍ତି ଦ୍ରୌପଦୀ। ସେପଟେ ବିଜେପି ସାଂସଦ ଓ ବିଧାୟକମାନେ ମଧ୍ୟ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦ୍ରୌପଦୀ ଙ୍କୁ ଭେଟି ସମ୍ବର୍ଦ୍ଧିତ କରିଥିଲେ।

Related Posts