ପ୍ରଚାର ଶେଷ ଦିନରେ ନବୀନଙ୍କ ଗୁଗଲି: ‘ପାଣ୍ଡିଆନ ନୁହଁନ୍ତି ମୋ ଉତ୍ତରାଧିକାରୀ’

ଭୁବନେଶ୍ୱର,୩୦/୫(ସତ୍ୟପାଠ ବ୍ୟୁରୋ):   ରାଜ୍ୟରେ ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଆଜି ପ୍ରଚାର ସରୁଥିବ ବେଳେ ଏକ ଗୁଗଲି ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶାସକରୁ ରାଜନେତା ପାଲଟିଥିବା ଭିକେ ପାଣ୍ଡିଆନଙ୍କୁ ନେଇ ବିରୋଧୀ କ୍ରମାଗତ ଭାବେ ଟାର୍ଗେଟ କରୁଥିବା ବେଳେ ଆଜି ଖବର ସରବରାହ ସଂସ୍ଥା ANIକୁ ପ୍ରତ୍ରିକ୍ରୀୟା ଦେଇ ଏଭଳି ଗୁଗଲି ମାରିଛନ୍ତି ନବୀନ। ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହନ୍ତି ବୋଲି ନବୀନ ଆଜି ସ୍ପଷ୍ଟ କରିଛନ୍ତି।ଏଥିସହ ଏହି କଥାକୁ କାହିଁକି ବଢ଼ାଇଚଢ଼ାଇ ପ୍ରଚାର କରାଯାଉଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ।

ଆଜି ଜାତୀୟ ଖବର ସରବରାହ ସଂସ୍ଥା ANIକୁ ଏକ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଲୋକ ତାଙ୍କର ଉତ୍ତରାଧିକାରୀ ସ୍ଥିର କରିବେ। ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି। ଏ କଥାକୁ ଅଯଥାରେ କେବଳ ଅପପ୍ରଚାର କରାଯାଉଛି।

ଏହା ସହିତ ନବୀନ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ବୟାନକୁ ନେଇ ମଧ୍ୟ ମତ ରଖିଛନ୍ତି। ଗତକାଲି କହିଥିବା କଥାକୁ ସେ ଆଜି ପୁଣିଥରେ ଦୋହରାଇଛନ୍ତି।

ଚଳିତ ନିର୍ବାଚନରେ ଓଡ଼ିଆ ଅସ୍ମିତାକୁ ବିରୋଧି ଦଳ ମୁଖ୍ୟ ପ୍ରସଙ୍ଗ କରି ନବୀନ ବାହାର ଲୋକଙ୍କ କବଜାରେ ରହିଥିବା ଏବଂ ତାମିଲ ବାବୁ ତାଙ୍କୁ ନିୟନ୍ତ୍ରଣ କରୁଥିବାନେଇ କ୍ରମାଗତ ହାମଲା କରି ଆସୁଛି। ନିର୍ବାଚନରେ ଏହି ପ୍ରସଙ୍ଗ ମଧ୍ୟ ବିଜେଡି ପାଇଁ ବୁମେରାଂ ହୋଇଛି। ଦଳର ୪୦ ଜଣିଆ ଷ୍ଟାର ପ୍ରଚାରକ ରହିଥିଲେ ମଧ୍ୟ ବିଜେଡି କେବଳ ପାଣ୍ଡିଆନଙ୍କୁ ତାରକା ଭୂମିକାରେ ଓହ୍ଲାଇଛି ଓ ସେ ରାଜ୍ୟ ବ୍ୟାପି ପ୍ରଚାର କରିବା ସାଧାରଣରେ ଗ୍ରହଣୀୟ ହେଉ ନ ଥିବା ଜାଣି ନବୀନ ନିଜ ନୀରବତା ଭଙ୍ଗ କରିଛନ୍ତି।

ବିଳମ୍ବରେ ହେଲେ ମଧ୍ୟ ନବୀନ ବିରୋଧୀ ଦଳଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି ବୋଲି ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିବାକୁ ବାଧ୍ୟ ହୋଇଛନ୍ତି। ତେବେ ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି କୌଶଳ ବାସ୍ତବରେ ବିଜେଡି ସପକ୍ଷରେ ଭୋଟ ଆଣିବା ପାଇଁ ନା କେବଳ ନିର୍ବାଚନୀ ଗୁଗଲି ତାକୁ ନେଇ ଚର୍ଚ୍ଚା ଚାଲିଛି ।

ବିଜେପି ତରଫରୁ କ୍ରମାଗତ ହାମଲାକୁ ନେଇ ନବୀନ କହିଛନ୍ତି, ରାଜନୀତିରେ ମୋର କାହାପ୍ରତି ଆକ୍ରୋଶ ନାହିଁ । ସାଧାରଣ ଜୀବନରେ ମୁଁ କାହା ପ୍ରତି କେବେ ଆକ୍ରୋଶ ଦେଖାଇନି । ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦରକାର ହେଲେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ସମୟରେ କିନ୍ତୁ ଏକ ବଡ଼ ପ୍ରଶ୍ନର ଉତ୍ତର ପାଇ ପାରିଲେନି ରାଜ୍ୟବାସୀ। ମୁଖ୍ୟମନ୍ତ୍ରୀଙ୍କ ସହ ଖାଲି ପାଣ୍ଡିଆନ କାହିଁକି ବୁଲୁଛନ୍ତି ଏନେଇ ଜାଣିବାକୁ ସମଗ୍ର ରାଜ୍ୟବାସୀ ଉତ୍ସୁକ ଥିଲେ। ମାତ୍ର ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କିଛି ପଚରା ଗଲାନି କି ମୁଖ୍ୟମନ୍ତ୍ରୀ ନିଜ ଆଡୁ ବି ଏନେଇ ମତ ରଖିଲେନି। 

ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ପାଣ୍ଡିଆନ ନିଜକୁ ନବୀନ ପଟ୍ଟନାୟକଙ୍କ ମୂଲ୍ୟବୋଧର ପ୍ରକୃତ ଉତ୍ତରାଧିକାରୀ ବୋଲି କହିଥିଲେ। ଗତ କିଛି ବର୍ଷ ଧରି ପାଣ୍ଡିଆନ ନବୀନଙ୍କ ଊତ୍ତରାଧିକାରୀ ପରି ଆଚରଣ କରି ଉଭୟ ବିଜେଡି ଓ ରାଜ୍ୟ ଶାସନରେ ନିଜ ନିୟନ୍ତ୍ରଣ ବଢ଼ାଇବାରେ ସକ୍ଷମ ହୋଇଛନ୍ତି। ତେବେ ପାଣ୍ଡିଆନଙ୍କ ଆତ୍ମଘୋଷିତ ଉତ୍ତରାଧିକାରୀ ସ୍ୱପ୍ନକୁ ଆଜି ନବୀନଙ୍କ ବୟାନ ଧୂଳିସାତ କରିଛି।

Related Posts