ନେହେରୁଙ୍କ ଧାରା ୩୭୦ ଲାଗୁ ଯୋଗୁ କାଶ୍ମୀରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା, ମୋଦି ଏହାକୁ ଶେଷ କରିଛନ୍ତି: ଅମିତ ଶାହା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ କଡା ଟାର୍ଗେଟ କରିଛନ୍ତି। ସେ କାଶ୍ମୀରରେ ଲାଗିଥିବା ସମସ୍ୟା ପାଇଁ ନେହେରୁଙ୍କୁ ଦାୟୀ କରିଛନ୍ତି ଏବଂ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇ ଏହାର ସମାଧାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରେୟ ଦେଇଛନ୍ତି।

ତେବେ ଗୁଜୁରାଟ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟରେ ‘ଗୌରବ ଯାତ୍ରା’ କରିବାକୁ ଯାଉଛି। ଆଜି ଏହି ଯାତ୍ରାର ଶୁଭାରମ୍ଭ କରି ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କାଶ୍ମୀରରେ ଧାରା ୩୭୦ ଧାରା ଲାଗୁକରିବା କାରଣରୁ ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ଦେଶ ସହ ସଠିକ୍ ଭାବରେ ଏକୀଭୂତ ହୋଇପାରି ନଥିଲା। ଧାରା ୩୭୦ ହଟାଇବାକୁ ସମସ୍ତେ ଚାହୁଁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ହଟାଇ ଦେଇଛନ୍ତି। ଏହା ହଟିବା ଫଳରେ ଦେଶ ସହିତ କାଶ୍ମୀରର ଏକୀକରଣ ସମାପ୍ତ ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଯୋଧ୍ୟା ରେ ରାମ ମନ୍ଦିର କଂଗ୍ରେସ ପାଇଁ ନିର୍ମାଣ ହୋଇପାରିନଥିଲା।ଏହାକୁ କଂଗ୍ରେସ ବିରୋଧ କରୁଥିଲା। ହେଲେ ମୋଦି ସରକାର ଆସିବା ପରେ ସେଠାରେ ମନ୍ଦିର ନିର୍ମାଣ ଚାଲିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଶେଷ ଆଡ଼କୁ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଠାରେ ଦୀର୍ଘ ୨୭ ବର୍ଷ ଧରି ବିଜେପି ଶାସନରେ ଥିବା ବେଳେ ଚଳିତ ନିର୍ବାଚନ ବିଜେପି ପାଇଁ ସେତେଟା ସହଜ ହେବନାହିଁ ବୋଲି କୁହାଯାଉଛି। ତେବେ ଏହି ନିର୍ବାଚନ ପାଇଁ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ରାଜ୍ୟ ସାରା ‘ଗୌରବ ଯାତ୍ରା’ ମାଧ୍ୟମରେ ଦଳ ଲୋକଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ ରଖିଛି।

Related Posts