ନବ ଦାସ ହତ୍ୟା ଘଟଣା; ସିବିଆଇ ତଦନ୍ତ ପାଇଁ ହୋଇଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର,୯/୨(ସତ୍ୟପାଠ ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ହୋଇଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ । ସିବିଆଇ ତଦନ୍ତ ଲାଗି ଆବେଦନ କରିଥିଲେ ଭାରତୀୟ ବିକାଶ ପରିଷଦ । ଘଟଣା ଘଟିବାର ମାତ୍ର ୧୧ ଦିନ ବିତିଥିବାରୁ ସିବିଆଇ ତଦନ୍ତ ଆବେଦନ ଶୁଣାଣି ଯଥାର୍ଥ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ ।

ସେପଟେ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ମିଛ ଧରିବା ପାଇଁ ତାର ନାର୍କୋ ଟେଷ୍ଟ କରାଯିବ ।ଆଜିଠୁ ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବିଧି ଆରମ୍ଭ ହେଉଛି । ଏହି ସମୟରେ ଅଭିଯୁକ୍ତର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ହେବ । ନାର୍କୋ ଟେଷ୍ଟ ପାଇଁ ଗତକାଲିଠୁ ଗୋପାଳକୁ ଗୁଜରାଟ ଗାନ୍ଧୀନଗରକୁ ନିଆଯାଇଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏକ ୮ ଜଣିଆ ଟିମ୍ ଗୋପାଳକୁ ନେଇ ନାର୍କୋ ଟେଷ୍ଟ ପାଇଁ ଯାଇଛି ।

ଜେରାବେଳେ ଅନେକ ଗୁମର ଖୋଲିଛି ଅଭିଯୁକ୍ତ । ମାତ୍ର ସେସବୁ କେତେ ଠିକ୍ ? କ୍ରାଇମବ୍ରାଞ୍ଚ ଆଗରେ ଗୋପାଳ ଦେଇଥିବା ବୟାନ ସତ ନା ମିଛ ? ତଦନ୍ତକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁନଥିଲା ତ ବହିସ୍କୃତ ଏଏସଆଇ ? ଏହାର ସତ୍ୟାସତ୍ୟ ପରଖିବାକୁ ନାର୍କୋ ଟେଷ୍ଟ କରାଯିବ। ପୂର୍ବରୁ ଅଭିଯୁକ୍ତ ଗୋପାଳର ଏଲଭିଏ ଟେଷ୍ଟ ମଧ୍ୟ ହୋଇଛି । ଗତକାଲି ଗୋପାଳର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଅଭିଯୁକ୍ତକୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ଗୋପାଳ ମୁହଁରୁ ସତ ଆଦାୟ କରିବାକୁ ଆଉ ୫ଦିନ ରିମାଣ୍ଡ ସହିତ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରିବାକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି।

Related Posts