ଡେଲିଭରୀ ବଏ ପତିତପାବନ ଅପହରଣ ମାମଲାରେ ନୂଆ ଟ୍ୱିଷ୍ଟ୍‌ : ମଧ୍ୟପ୍ରଦେଶରେ ଯୁବତୀଙ୍କ ସହ ଧରାପଡ଼ିଲେ, ଅପହରଣ ନାଟକ ରଚିଥିବା ସନ୍ଦେହ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁରରୁ ସ୍ବିଗି ଡେଲିଭରି ବଏ ଅପହରଣ ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ୍‌। ଡେଲିଭରି ବଏ ପତିତପାବନ ପୃଷ୍ଟି ଓରଫ ଚିକୁନକୁ ମଧ୍ୟପ୍ରଦେଶରେ ଠାବ କରାଯାଇଛି । ଅଭିଯୋଗ ହୋଇଛି ଯେ ସେ ଜଣେ ଯୁବତୀଙ୍କୁ ଅପହରଣ କରିନେଇଛନ୍ତି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ଯୁବତୀ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଘଟଣାରେ ଟ୍ବିଷ୍ଟ୍ ଆସିଛି। ଚିକୁନ ଓ ସମ୍ପୃକ୍ତ ଯୁବତୀ ଉଭୟଙ୍କୁ ମଧ୍ୟପ୍ରଦେଶରେ ରେଲ୍‌ୱେ ପୋଲିସ୍‌ ଅଟକ ରଖିଥିବା ସୂଚନା ମିଳିଛି। ପତିତପାବନକୁ ଓଡିଶା ଆଣିବାକୁ ଏକ ଟିମ୍ ମଧ୍ୟପ୍ରଦେଶ ଯାଇଛି । ପଚରା ଉଚାର ପରେ ଅପହରଣ ପଛର କାରଣ ସ୍ପଷ୍ଟ ହୋଇପାରିବ । ତେବେ ପ୍ରେମ ସମ୍ପର୍କକୁ ନେଇ ଏଭଳି ଅପହରଣ ନାଟକ ରଚାଯାଇଥିବା ସନ୍ଦେହ କରାଯାଉଛି ।

ସୂଚନା ମୁତାବକ , ଗତ ୧୧ ତାରିଖ ଦିନ ଡେଲିଭରି ବଏ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ସେହି ଦିନ ରାତିରେ ସନ୍ଧ୍ୟାରେ ଫୁଡ୍ ଡେଲିଭରି କରିବାକୁ ଯାଇଥିବା ଚିକୁନ ରାତି ୧୦ଟା ୧୫ ମିନିଟ୍ ପରେ ନିଖୋଜ ଥିବା ଅଭିଯୋଗ ହୋଇଥିଲା। ତାଙ୍କୁ କିଛି ବ୍ୟକ୍ତି ସାମନ୍ତରାପୁର ଛକରେ ପିଛା କରି ବାଟରେ ଅଟକାଇ ତାଙ୍କ ଠାରୁ ଟଙ୍କା ଓ ମୋଵାଇଲ ନେଇ ତାଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହେଇଥିଲା। ଏସମ୍ପର୍କରେ ସେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଜଣାଇଥିଲେ। ଗାଡ଼ି ଖରାପ ହୋଇଯାଇଥିବାରୁ ସେ ଆସି ପାରିନଥିବା ବି ସ୍ତ୍ରୀଙ୍କୁ କହିଥିଲେ। ପରିବାର ଲୋକ ଓ ପୋଲିସ୍‌ ବହୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନଥିଲା। 

ତେବେ ଡେଲିଭରୀ ବୟ ପତିତପାବନ ଓରଫ ଚିକୁନ୍ ନିଖୋଜ ହେବାର ଦିନକ ପରେ ଅର୍ଥାତ୍‌ ୧୨ ତାରିଖ ଦିନ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବେଦପୁର ଗାଁର ଜଣେ ଯୁବତୀ ନିଖୋଜ ହୋଇଥିବା ନେଇ ଉକ୍ତ ଯୁବତୀଙ୍କ ପରିବାର ଲୋକେ ଗୋପ ଥାନାରେ ଅଭିଯୋଗ କରିଥିଲେ। 

ତେବେ ପତିତପାବନ ସେହି ଯୁବତୀଙ୍କ ପଡୋଶୀଙ୍କ ଘରକୁ ଯିବା ଆସିବା କରୁଥିବା ବେଳେ ତାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ଚିକୁନ ତାଙ୍କ ଝିଅକୁ ଅପହରଣ କରି ନେଇଛି। ତେବେ ସମ୍ପୃକ୍ତ ଯୁବତୀଙ୍କ ସହ ଚିକୁନର ପ୍ରେମ ସମ୍ପର୍କ ଥିବାନେଇ ଫେରାର ଯୁବତୀଙ୍କ ସାଙ୍ଗଙ୍କ ପାଖକୁ ଲେଖିଥିବା ଏକ ଚିଠିରୁ ଜଣାପଡିଥିଲା। ଏହା ପରେ ପୋଲିସ୍‌ ଉକ୍ତ ଚିଠିଟିକୁ ଜବତ କରିଛି। ଅପରପକ୍ଷରେ , ମଧ୍ୟପ୍ରଦେଶରେ ରେଲ୍‌ୱେ ପୋଲିସ୍‌ ଚିକୁନ ଓ ଯୁବତୀଙ୍କୁ ଅଟକ ରଖିଥିବା ନେଇ ସୂଚନା ମିଳିଛି। ଏବେ ଓଡ଼ିଶା ପୋଲିସର ଏକ ଟିମ୍ ତାଙ୍କୁ ଆଣିବାକୁ ଯାଉଥିବା ନେଇ ସୂଚନା ମିଳିଛି। ତେବେ ଏଠାରେ ସୂଚନାଥାଉ କି, ୨ ଦିନ ପୂର୍ବେ ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ପାଖ ଦୟାନଦୀ ନିକଟ ରାସ୍ତାରେ ଡେଲିଭରି ବୟ ପତିତପାବନଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ। ଦୟାନଦୀ ନିକଟ ରାସ୍ତାରେ ଚିକୁନଙ୍କ ଚପଲ, ଗଞ୍ଜି, ବ୍ୟାଗ, ପାଣି ବୋତଲ ଓ ଏକ ଛୁରୀ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ପୋଲିସ୍‌ ମାମଲାର ତଦନ୍ତ ଆରମ୍ଭ କରିଥିଲା।    

Related Posts