ନିର୍ଭୟା ମାମଲା : ଦୁଷ୍କର୍ମକାରୀ ପବନ ଗୁପ୍ତାର ନାବାଳକ ହୋଇଥିବା ଦାବିକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ, ଓକିଲଙ୍କୁ ଜରିମାନା

ନୂଆଦିଲ୍ଲୀ:ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କ ମଧ୍ୟରୁ ପବନ କୁମାର ଗୁପ୍ତା ୭ବର୍ଷ ତଳେ ନିଜକୁ ନାବାଳକ ଦର୍ଶାଇ ଦାଖଲ କରିଥିବା ଯାଚିକା ଖାରଜ ହୋଇଛି । ସାତ ବର୍ଷ ପୂର୍ବରୁ ଅର୍ଥାତ ୨୦୧୨ରେ ପବନ ଗୁପ୍ତା ନାବାଳକ ଥିଲେ ଯୁକ୍ତି ଦର୍ଶାଇ କରିଥିବା ଆବେଦନକୁ ଖାରଜ କରିବା ସହ ସମୟ ନଷ୍ଟ କରିଥିବାରୁ ତାଙ୍କ ଓକିଲଙ୍କ ୨୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ପବନ କୁମାର ଗୁପ୍ତା ସାତ ବର୍ଷ ପୂର୍ବରୁ ଅର୍ଥାତ ୨୦୧୨ ଘଟିଥିବା ଘଟଣା ସମୟରେ ନାବାଳକ ଥିବା ଦାବୀ କରି ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ଦୋଷୀ ପବନ କୁମାର ଗୁପ୍ତାଙ୍କ ଓକିଲ ଏପି ସିଂହ ଅଦାଲତରେ ଏହି ମାମଲାରେ ଦସ୍ତାବିଜ ଫାଇଲ କରିବା ପାଇଁ ସମୟର ଆବଶ୍ୟକତା ରହିଛି ବୋଲି ସମୟ ମଧ୍ୟ ମାଗିଥିଲେ । ତେବେ ଆଜି ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ ଉପରେ ଶୁଣାଣୀ କରାଯାଇଛି । ଦିଲ୍ଲୀ ହାଇକୋର୍ଟ ନ୍ୟାୟଧୀଶ ସୁରେଶ କୁମାର ପବନ କୁମାରଙ୍କ ପିଟିସନକୁ ଖାରଜ କରିବା ସହ ତାଙ୍କ ଓକିଲ ଏପି ସିଂହଙ୍କୁ ଅଦାଲତର ସମୟ ନଷ୍ଟ କରୁଥିବା କାରଣରୁ ୨୫ ହଜାର ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ଭୟା ଦୋଷୀ ପବନ ଗୁପ୍ତାଙ୍କ ୨୦୧୨ରେ ନାବାଳକ ହୋଇଥିବା ପିଟିସନ ଖାରଜ ହେବା ପରେ ଦୋଷୀଙ୍କୁ ଖୁବଶୀଘ୍ର ଫାଶୀ ଦଣ୍ଡ ଦିଆଯିବା ସମ୍ଭାବନା ରହିଛି ।

Related Posts