ଫାଶୀ ପୂର୍ବରୁ ମୃତ୍ୟୁ ହେଲେ ମୁଶାରଫ୍‌ଙ୍କୁ ୩ ଦିନ ଝୁଲାଇ ରଖାଯିବ

(ସତ୍ୟପାଠ ବ୍ୟୁରୋ) ଇସ୍‌ଲାମାବାଦ୍‌: ଫାଶୀ ପୂର୍ବରୁ ଯଦି ମୃତ୍ୟୁ ହେଲା ତେବେ ସର୍ବସାଧାରଣରେ ୩ ଦିନ ଝୁଲିବେ ମୁସାରଫ୍‌ । ଏଭଳି ଏକ ଚମକାଇଲା ଭଳି ରାୟ ଦେଇଛନ୍ତି ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ । କୋର୍ଟ ତାଙ୍କ ରାୟରେ କହିଛନ୍ତି  ଯଦି ଫାଶୀ ଦିଆଯିବା ପୂର୍ବରୁ ମୁସାରଫ ମରିଯିବେ, ତେବେ ତାଙ୍କୁ ଇସ୍‌ଲାମାବାଦ୍‌ର ଏକ ପ୍ରସିଦ୍ଧ ଛକରେ ୩ ଦିନ ପାଇଁ ଝୁଲାଇ ରଖାଯିବ ।

୨୦୦୭ ମସିହାରେ ଦେଶର ସମ୍ବିଧାନକୁ ଅଣଦେଖା କରି ଦେଶରେ ଜରୁରୀକାଳୀନ ଶାସନ ଲାଗୁ କରିଥିବା ମୁସାରଫଙ୍କ ବିରୋଧରେ କୋର୍ଟ ମଙ୍ଗଳବାର ଫାଶୀ ଦଣ୍ଡ ଶୁଣାଣଇଥିଲେ । ଦୁବାଇରେ ଚିକିତ୍ସାଧୀନ ମୁସାରଫଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେବା ସହ କୋର୍ଟ କହିଛନ୍ତି, ଫାଶୀଦଣ୍ଡାଦେଶ ଯେମିତି ହେଲେ ବି କାର୍ଯ୍ୟକାରୀ କର । ଯଦି ଏହା ପୂର୍ବରୁ ସେ ମରିଯାଇଥିବେ ତେବେ ତାଙ୍କୁ ପାକିସ୍ତାନର ଇସଲାମାବାଦ୍‌ର ଡି-ଚୌକ୍‌କୁ ଘୋଷାଡ଼ି ଆଣିବା ସହ ସେଠାରେ ୩ ଦିନ ପାଇଁ ଝୁଲାଇ ରଖାଯିବ ।

ଏହା ପୂର୍ବରୁ ପାକିସ୍ତାନର ଏକ କୋର୍ଟ ଜଣେ ସିରିଆଲ କିଲର ବିରୋଧରେ ଏଭଳି ରାୟ ଦେଇଥିଲେ। ଏହି ରାୟରେ କୁହାଯାଇଥିଲା ତା’ର ଶରୀରକୁ ୧୦୦ ଖଣ୍ଡ କଟାଯାଇ ପୀଡ଼ିତାଙ୍କ ପରିବାର ଲୋକଙ୍କ ଆଗରେ ମୃତ ଶରୀରର ମାଂସ ସବୁକୁ ପକାଯିବ ।ଯଦିଓ ବାସ୍ତବରେ ଏହା କରାଯାଇନଥିଲା କିନ୍ତୁ ଏଭଳି ରାୟ ଆଗରୁ ଦିଆଯାଇଥିବାରୁ ପାକିସ୍ତାନରେ ଲୋକଙ୍କର ଏହି ରାୟକୁ ନେଇ କିଛି ପ୍ରତିକ୍ରିୟା ଦେଖାଯାଇ ନାହିଁ ।  ଅନ୍ୟପଟେ ପାକିସ୍ତାନର ସୂଚନା ମନ୍ତ୍ରୀ ଫିରଦୌସ୍‌ ଆଶିକ୍‌ ଆୱାନ୍‌ କହିଛନ୍ତି, ଫାଶୀ ଦଣ୍ଡାଦେଶରେ ‘ଫରକ ଏବଂ ଦୁର୍ବଳତା’ ଅଛି । ମୁସାରଫ ଏହି ରାୟକୁ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଥିବାବେଳେ ତାଙ୍କ ଓକିଲ ଏହା ବିରୋଧରେ ସୁପ୍ରିମ୍‌କୋର୍ଟ ଯିବେ ବୋଲି କହିଛନ୍ତି ।

Related Posts