ବିରୋଧୀଙ୍କୁ ଏକଜୁଟ କରିବା ଲକ୍ଷ୍ୟରେ ନୀତିଶ କୁମାର, ଓଡ଼ିଶା ଆସି ନବୀନଙ୍କୁ ଭେଟବା ନେଇ ଚର୍ଚ୍ଚା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦେଶର ବିରୋଧୀ ଦଳ ଗୁଡ଼ିକୁ ବିଜେପି ବିରୋଧରେ ଏକଜୁଟ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ନୀତିଶ ଦିଲ୍ଲୀ ଗସ୍ତ କରି ଭିନ୍ନ ଭିନ୍ନ ବିରୋଧୀ ଦଳର ନେତା ମାନଙ୍କୁ ଭେଟିଛନ୍ତି। ଏସବୁ ଭିତରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ପୂର୍ବରୁ ନୀତୀଶ ଓଡ଼ିଶା ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ନବୀନଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ମଧ୍ୟ ରହିଛି। ନୀତୀଶ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଯେଉଁ ପ୍ରୟାସ ଚଳାଇଛନ୍ତି ସେଥିରେ ନବୀନଙ୍କୁ ସାମିଲ କରିବେ ବୋଲି ଏବେ ଚର୍ଚ୍ଚା ହେଉଛି।

ନବୀନଙ୍କୁ ଭେଟିବା ସହ ନୀତୀଶ ଆଉ କିଛି ବିରୋଧୀ ଦଳ ନେତାଙ୍କୁ ଭେଟିବାର ସମ୍ଭାବନା ରହିଛି। ଏନସିପି ନେତା ଶରଦ ପାୱାର ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟି ପାରନ୍ତି। ଏଥିସହ ଜନତା ଦଳ ସେକୁଲାର ମୁଖ୍ୟ ଏଚ.ଡି କୁମାର ସ୍ୱାମୀଙ୍କୁ ମଧ୍ୟ ନୀତୀଶ କୁମାର ଭେଟି ପାରନ୍ତି। ତେବେ ଦିଲ୍ଲୀ ଗସ୍ତ କରି ନୀତିଶ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସିପିଏମ୍ ନେତା ସୀତାରାମ ୟେଚୁରୀ ଓ ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳ ମୁଖ୍ୟ ଓମ୍ ପ୍ରକାଶ ଚୌତାଲା, ସିପିଆଇ ନେତା ଡି. ରାଜାଙ୍କୁ ଭେଟି ଆଲୋଚନା କରିସାରିଛନ୍ତି।

ତେବେ ଏହି ନେତାଙ୍କ ସହ ସାକ୍ଷାତ ସମୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀମାନଙ୍କୁ କିପରି ଏକାଠି କରାଯିବ ସେ ନେଇ ଆଲୋଚନା ହୋଇଥିବା ନୀତିଶ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନୀତିଶ ନବୀନଙ୍କୁ ଭେଟିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଏନେଇ ଜାତୀୟ ଗଣମାଧ୍ୟମ ଗୁଡିକରେ ଚର୍ଚ୍ଚା ହେଉଛି।

Related Posts