ନୂଆଦିଲ୍ଲୀ: ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ସାଂସଦ ସୁଶୀଲ ମୋଦି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ଏକ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ତାଙ୍କୁ ବିଜେପି ନେତୃତ୍ବାଧୀନ NDA ମେଣ୍ଟ ଉପରାଷ୍ଟ୍ରପତି ପ୍ରାର୍ଥି ନ କରିବାରୁ ନୀତିଶଙ୍କୁ ମେଣ୍ଟରୁ ବାହାରି ଯାଇଥିବା ଅଭିଯୋଗ କରିଥିଲେ ସୁଶୀଲ ମୋଦି । ତେବେ ନୀତିଶ ଏପରି ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିବା ସହ ଏହା ଏକ ଭିତ୍ତିହୀନ ଚର୍ଚ୍ଚା ବୋଲି କହିଛନ୍ତି ।

ନୀତିଶ କହିଛନ୍ତି, ”ସୁଶୀଲ ମୋଦି କହିଲେ ମୁଁ ଉପରାଷ୍ଟ୍ରପତି ହୋଇଥାନ୍ତି । ଏହା କେବଳ ଏକ ଜୋକ୍‌ । ମୋର ସେମିତି କିଛି ଅଭିଳାଷ ନଥିଲା । ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ନିର୍ବାଚନରେ ଆମ ଦଳ NDA ପ୍ରାର୍ଥୀଙ୍କୁ ସମର୍ଥନ ମଧ୍ୟ କରିଥିଲା, ସେମାନେ ସେ କଥା ଭୁଲି ଗଲେଣି କି ? ଆମେ ନିର୍ବାଚନ ସରିବା ଯାଏ ଅପେକ୍ଷା କରିଥିଲୁ ଓ ପରେ ଦଳୀୟ ବୈଠକରେ ନିଷ୍ପତ୍ତି ନେଇଥିଲୁ ।

ମୋ ସମ୍ପର୍କରେ ଆହୁରି ଅଧିକ କହିବା ଫଳରେ ସେ ବୋଧ ହୁଏ କିଛି ପଦବୀ ପାଇପାରନ୍ତି ।

“ବିହାର ବିଜେପିର ବରିଷ୍ଠ ନେତା ତଥା ସାଂସଦ ସୁଶୀଲ ମୋଦି କହିଥିଲେ, ”ବିଜେପି ନେତୃତ୍ବାଧୀନ NDA ମେଣ୍ଟ ସମର୍ଥନରେ ଦେଶର ଉପରାଷ୍ଟ୍ରପତି ହେବାକୁ ଚାହୁଁଥିଲେ ନୀତିଶ । ଜନତା ଦଳ ୟୁନାଇଟେଡ (JDU)ର କିଛି ନେତା ମୋ ପାଖକୁ ଆସି ନୀତୀଶଙ୍କୁ ଉପ-ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଏହା ସମ୍ଭବ ନ ହେବା କାରଣରୁ ସେ ବିଜେପି ହାତ ଛାଡ଼ିଛନ୍ତି ।”