ସତ୍ୟପାଠ ବ୍ୟୁରୋ : ପାଟଣାଗଡ ବିଧାୟକ ସରୋଜ ମେହେର ରାସ୍ତା କାମରେ ଦୁର୍ନୀତି ହେଉଥିବା ଅଭିଯୋଗରେ ଜଣେ ସରକାରୀ ଅଧିକାରୀଙ୍କୁ ଧମକାଇଲେ । ରାସ୍ତା ଉପରେ ବସଉଠ କରେଇଲେ । ବସଉଠ ନହେଲେ ଲୋକେ ପିଟିବେ କହି ଡରେଇଲେ । ମାଡ ଭୟର ସଂପୃକ୍ତ ଜେଇ କାନଧରି ବସଉଠ ହେଲା । ଏ ସମୟର ଭିଡିଓ ଭାଇରାଲ ହେବା ପରେ ନିଜ ଭୁଲ ବୁଝିପାରି କ୍ଷମା ମାଗିଲେ ବିଧାୟକ । ମାନେ ମିଡିଆ ଡାକି ନିଜ ଭୁଲ ସ୍ୱୀକାର କଲେ । ଜୋସରେ ହୋସ ହରାଇଥିବା ମାନିଲେ । ତଥାପି ତାଙ୍କ ନାଁରେ ମାମଲା ରୁଜୁ ହେଲା ଆଉ ଜେଲ ଗଲେ ବିଧାୟକ ।

କିନ୍ତୁ ଜଣେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସର୍ବ ସମ୍ମୁଖରେ ଧକ୍କା ମାରିଲେ କେନ୍ଦ୍ରାପଡା ଏସପି ନୀତିଶେଖର । କଲର ଧରି ଠେଲିଲେ । ଚାପୁଡା ମାରିବାକୁ ହାତ ଉଠାଇଲେ । ଭିଡିଓ ଭାଇରାଲ ହେବା ପରେ ଏ ବାବୁ ବି ଏକ ହ୍ୱାଟସଆପ ଗୃପରେ ଆପୋଲୋଜି ମେସେଜ୍ ଟିଏ ଲେଖିଦେଇ ଚୁପ ରହିଗଲେ । ମେସେଜରେ ଲେଖିଲେ ସେମିତି କିଛି ହୋଇନି କି ତଥାପି ମୁଁ ଦୁଃଖିତ । ଘଟଣାକୁ ଏହା ଭିତରେ ୩୦ଘଣ୍ଟାରୁ ଅଧିକ ସମୟ ବିତିଗଲାଣି । ତଥାପି ତାଙ୍କର ବାଳଟିଏ ବି ବଙ୍କା ହୋଇନି ।

ଗୃହ ବିଭାଗକୁ ନିଜ ଅଧିନରେ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବେଳେ କୁହନ୍ତି “ଲ ଉଇଲ୍ ଟେକ୍ ହିଜ୍ ଓନ୍ କୋର୍ସ..” ହେଲେ କେନ୍ଦ୍ରାପଡା ବାରିମୂଳରେ ତାଙ୍କରି ହେଲିକପ୍ଟର ପାଖରେ ଆଇନ ବାଟ ହୁଡି ଅନ୍ୟଆଡେ ଚାଲିଗଲା କାହାରି ଯେମିତି ନଜର ପଡିଲାନି । ଭାଇରାଲ ଭିଡିଓରେ ସ୍ପଷ୍ଟ ଦିଶୁଛି, ସାମ୍ବାଦିକ ଅଜେଶ ମଲ୍ଲିକଙ୍କୁ କିଭଳି ଧକ୍କା ମାରୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ପୁଲିସର ମୁଖିଆ ନୀତିଶେଖର । ଚାପୁଡା ମାରିବାକୁ ହାତ ବି ଉଠାଉଛନ୍ତି । ଆଉ ପାଖରେ ଥାଇ ସବୁ ଦେଖୁଛନ୍ତି ସରକାରୀ ଦଳର ବିଧାୟକ ଓ ପୂର୍ବତନ ମନ୍ତ୍ରୀ । ନୀତି ନିୟମ ଆଇନ କାନୁନର ଧଜିଆ ଉଡୁଛି ତଥାପି ମୁହଁ ଖୋଲୁ ନାହାଁନ୍ତି ପାଖରେ ଥିବା ଦୁଇ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ ।

ଏ ଘଟଣା ଗଲାକାଲି ଦିନ ୧୦ଟାର । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓହ୍ଳାଇବା ବେଳେ ଭିଡ ନିୟନ୍ତ୍ରଣ କରିବାକୁ ଯାଇ ସାମ୍ବାଦିକ ଅଜେଶଙ୍କୁ ତିନି ଥର ଧକ୍କା ମାରିଥିଲେ ଏସପି । ସାମ୍ବାଦିକ ଜଣକ ନିଜ ହାତରେ ଚାନେଲର ବୁମ୍ ଧରିଥିବା ଦେଖିକି ବି ଚିହିଁକି ଆସୁଥିଲେ ଆଇପିଏସ ନୀତିଶେଖର । ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ଆଲୋଡନ । ବିଧାନସଭା ବି ହୁଲସ୍ତୁଲ । ଖୋଦ କେନ୍ଦ୍ରାପଡାର ସାମ୍ବାଦିକ ମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ । ରାଜ୍ୟ ସାରାର ସାମ୍ବାଦିକ ପ୍ରତିକ୍ରିୟା ରଖିଲେ । କିନ୍ତୁ ଏ ବାବଦରେ ଏଯାଏ ମୁହଁ ଖୋଲୁ ନାହାଁନ୍ତି ଏସପି କି ମୁହଁ ଖୋଲୁ ନାହାଁନ୍ତି ସରକାର । ଭିଡିଓ ଦେଖି ଅନୁଧ୍ୟାନ କରିବି କହି ଧାଡିକିଆ ଉତ୍ତର ରଖି ନିଜ କାନ୍ଧରୁ ଦାୟିତ୍ୱ ଖସାଇ ଦେଇଛନ୍ତି ପୁଲିସ ଡିଜି ।

ଏସପି ଚୁପ । ଡିଜି ଚୁପ । ମନ୍ତ୍ରୀ ଚୁପ । ସରକାର ବି ଚୁପ । ସାମ୍ବାଦିକଙ୍କୁ ଭରା ପବ୍ଲିକରେ ଜଣେ ଆଇପିଏସ ଅଧିକାରୀ ଠେଲାପେଲା କଲେ ବୋଲି ସାମ୍ବାଦିକ ନୀରବ ପ୍ରତିବାଦ କରୁଛନ୍ତି କିନ୍ତୁ ଏସପି, ଡିଜି, ମନ୍ତ୍ରୀ ଓ ସରକାରର ନୀରବତା ଦେଖି ଲାଗୁଛି ଯେମିତି ନୀରବ ପ୍ରତିବାଦରେ ସାମିଲ ହୋଇଛନ୍ତି ଏମାନେ । ତେବେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଏସପି ନୀତିଶେଖରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ମହଲରେ ଦାବୀ ଉଠିଥିବା ବେଳେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଆଉ କେତେ ସମୟ ଲାଗୁଛି ତାହା ଉପରେ ସାରା ରାଜ୍ୟର ସାମ୍ବାଦିକଙ୍କ ନଜର ରହିଛି ।