ପାକିସ୍ତାନ ଏଟିଏମରୁ ବାହାରୁନି ଟଙ୍କା କି ପେଟ୍ରୋଲ ପମ୍ପରେ ମିଳୁନି ତେଲ; ଗୁରୁତର ଆର୍ଥିକ ସଂକଟରେ ପାକିସ୍ତାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶାହବାଜ ସରିଫ ନିର୍ବାଚିତ ହେବା ପରେ ପରେ ହିଁ ଦେଶ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ସେପଟେ ପେଟ୍ରୋଲ ପମ୍ପରେ ତୈଳ ମିଳୁନଥିବା ବେଳେ ଏଟିଏମରୁ ଆଉ ଟଙ୍କା ବାହାରୁନି। ଦେଶରେ ବୈଦେଶିକ ମୁଦ୍ରାଭଣ୍ଡାର ଏତେ ହ୍ରାସ ହୋଇଛି ଯେ ପେଟ୍ରୋଲ, ଡିଜେଲ ଓ ଅନ୍ୟ ଅତ୍ୟାବସକୀୟ ସାମଗ୍ରୀ ଆମଦାନୀ ଲାଗି ମାତ୍ର ୨ ମାସର ଅର୍ଥ ସଞ୍ଚିତ ଅଛି। ଏତକ ସରିଗଲେ ପାକିସ୍ତାନ ମଧ୍ୟ ଶ୍ରୀଲଙ୍କା ଭଳି ରାଜରାସ୍ତାକୁ ଚାଲି ନ ଆସିବ ତାହା କହି ହେଉ ନାହିଁ। ଗୁରୁତର ଆର୍ଥିକ ସଂକଟରେ ପାକିସ୍ତାନର ନୂଆ ଶାହବାଜ ସରିଫ ସରକାର ଗୁରୁବାର ଥରକେ ପେଟ୍ରୋଲ ଓ ଡିଜେଲ ଦର ୩୦ ଟଙ୍କା ମହଙ୍ଗା କରିଦେଇଛନ୍ତି। ଫଳରେ ପାକିସ୍ତାନ ପେଟ୍ରୋଲ ପମ୍ପମାନଙ୍କରେ ଆଉ ପେଟ୍ରୋଲ ଡିଜେଲ ମିଳୁ ନାହିଁ। ଡଲାର ତୁଳନାରେ ପାକିସ୍ତାନି ରୁପିର ମୂଲ୍ୟ ୨୦୦ ଟଙ୍କାକୁ ପହଞ୍ଚିଥିବା ବେଳେ ପେଟ୍ରୋଲ ଲିଟର ପିଛା ୧୮୦ ଟଙ୍କା ହୋଇଯାଇଛି। ସରକାରଙ୍କ ଭୁଲ ରାଜନୈତିକ ନିଷ୍ପତ୍ତିର ପରିଣାମ ଏବେ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡୁଛି। ଗତ କିଛି ମାସ ହେଲା ପାକିସ୍ତାନର ଅସ୍ଥିର ରାଜନୈତିକ ପରିବେଶ, ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ମୁଦ୍ରାସ୍ପିତି ବୃଦ୍ଧି ନୂଆ ସଂକଟର କାରଣ ପାଲଟିଛି।

ପାକିସ୍ତାନର ନୂଆ ସରକାର ସଂକଟ ସମାଧାନ ଲାଗି ପୂର୍ଣ୍ଣମାତ୍ରା ଉଦ୍ୟମ ଜାରି ରଖିଛନ୍ତି। ହେଲେ ପାକିସ୍ତାନ ମୁଦ୍ରାର ମୂଲ୍ୟ ଡଲାର ତୁଳନାରେ ଖସି ଖସି ଚାଲିବା ସହ ୧ ଡଲାର ୨୦୦ ପାକିସ୍ତାନୀ ମୁଦ୍ରାକୁ ପହଞ୍ଚିବା ପରିସ୍ଥିତିକୁ ଉଦବେଗଜନକ କରିଛି। ଏଣୁ ସରକାର ଉଦ୍ୟମ ଜାରି ରଖିଥିଲେ ବି ଏହାର ଫଳାଫଳ ଦେଶରେ ଦେଖା ଯାଉ ନାହିଁ। ନଗଦ ସମସ୍ୟାର ସମ୍ମୁଖୀନ ହୋଇଥିବା ପାକିସ୍ତାନ ବୈଦେଶି ମୁଦ୍ରା ଭଣ୍ଡାର ଚଳିତମାସରେ ୧୦.୧ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। ଏଥିରୁ ପାକିସ୍ତାନ ନିକଟରେ ଏବେ ମାତ୍ର ୨ମାସ ନିମନ୍ତେ ପେଟ୍ରୋଲ, ଡିଜେଲ ଓ ଜରୁରି ସାମଗ୍ରୀ ଆମଦାନୀ ଲାଗି ବୈଦେଶିକ ମୁଦ୍ରା ମହଜୁଦ ଥିବା ଜଣାପଡିଛି। ପାକିସ୍ତାନରେ ଏବେ ପେଟ୍ରୋଲ ଲିଟର ପିଛା ୧୮୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୧୭୪ ଟଙ୍କା ଓ କିରୋସିନ ୧୫୬ ଟଙ୍କା ଦରରେ ବିକ୍ରି ହେଉଛି।

Related Posts