ଯୌତୁକ ଯୁଇରେ ୩ ଭଉଣୀ: କୂଅରୁ ୩ ଭଉଣୀଙ୍କ ସମେତ ୨ ଛୁଆଙ୍କ ମୃତ ଦେହ ଉଦ୍ଧାର

ଜୟପୁର: ରାଜସ୍ଥାନର ଜୟପୁର ଜିଲ୍ଲା ଡୁଡୁ ଅଞ୍ଚଳରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା । ଯୌତୁକ ପାଇଁ ଚାଲିଯାଇଛି 3 ଭଉଣୀଙ୍କ ଜୀବନ । ଗୋଟିଏ କୂଅରୁ ୫ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ୨ ଜଣ ଛୁଆ ଅଛନ୍ତି। ଏହି ୫ ଜଣଙ୍କୁ ହତ୍ୟା କରି କୂଅକୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତ ୩ ଜଣ ମହିଳା ସମ୍ପର୍କରେ ୩ ଭଉଣୀ ହେବେ। ମୃତକ ୩ ଜଣ ମହିଳା ହେଲେ କାଲୁ ଦେବୀ, ମମତା ଏବଂ କମଲେଶ। ସେହିପରି ୨ ଜଣ ଶିଶୁଙ୍କ ମଧ୍ୟରୁ ଜଣକର ବୟସ ୪ ଓ ଅନ୍ୟ ଜଣେ ମାତ୍ର ୨୭ ଦିନର। ପିଲା ୨ ଜଣଙ୍କର ମା ହେଉଛନ୍ତି କାଲୁ ଦେବୀ ।

ସେହିପରି ମମତା ଦେବୀ ଏବଂ କମଲେଶ ଗର୍ଭବତୀ ଥିଲେ। ଘରଠାରୁ ୨ କିମି ଦୂରରେ ଥିବା କୂଅରୁ ମୃତ ଦେହ ଉଦ୍ଧାର କରାଯାଇଛି। ଯୌତୁକ ପାଇଁ ଶ୍ୱଶୁରଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବୁଧବାର ଏହି ୫ ଜଣ ନିଖୋଜ ଥିଲେ। ଏନେଇ ପୁଲିସରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ସମାନଙ୍କୁ ଶନିବାର ସୁଦ୍ଧା ଖୋଜିବାରେ ବିଫଳ ହୋଇଥିଲା। ପୂର୍ବରୁ କାଲୁଦେବୀଙ୍କୁ ଶ୍ୱଶୁର ଘର ଲୋକେ ମାରପିଟ୍‌ କରିଥିଲେ। ସେଥିପାଇଁ ସେ ୧୪ ଦିନ ହସପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିଲା।

ମିଳିଥିବା ସୂଚନା ଅନପୁଯାୟୀ ୩ ଭଉଣୀ ମିଶି ଗୋଟିଏ ପରିବାରର ୩ ଭାଇଙ୍କୁ ବିବାହ କରିଥିଲେ। ବୁଧବାର ୩ ଭଉଣୀ ସହ ୨ ଶିଶୁ ନିଖୋଜ ହୋଇଥିଲେ। ଏନେଇ ଡୁ଼ଡୁ ପୁଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା। ଗୁରୁବାର ଏତଲା ରୁଜୁ ହୋଇ ସେମାନଙ୍କ ସ୍ୱାମୀଙ୍କ ବିରୋଧରେ ଯୌତକୁ ନିର୍ଯାତନା ଦଫା ଲାଗିଥିଲା। ଏହି ୩ ଭଉଣୀଙ୍କ ବାପା ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ କରିଥିଲେ। ମେ ୨୫ରେ କମଲେଶ ତାଙ୍କ ବାପାଙ୍କୁ ଫୋନ୍‌ କରି ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ। ସେମାନଙ୍କ ସ୍ୱାମୀ ଓ ଶୁଶୁର ଘର ମିଶି ନିଷ୍ଠୁର ଭାବେ ସେମାନଙ୍କୁ ପିଟିଥିଲେ। ତାଙ୍କ ବାପା ଯେତେବେଳେ ଶ୍ୱଶୁର ଘରେ ପହଞ୍ଚିଲେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ତାଙ୍କ ଝିଅମାନେ ମରିଯାଇଥିବା କୁହାଯାଇଥିଲା । ତାଙ୍କ ଝିଅ ସମ୍ପର୍କରେ ଶ୍ୱଶୁର ଘର ଲୋକେ କିଛି କହିପାରିବେନି ବୋଲି କହିଥିଲେ। ଏଠୁ ଯାଅ ନଚେତ ତୁମକୁ ମାରି ଦିଆଯିବ ବୋଲି ଧମକ ଦିଆଯାଇଥିଲା ବୋଲି ମୃତ ମହିଳାଙ୍କ ବାପା ଅଭିଯୋଗ ଆଣିଛନ୍ତି ।

Related Posts