ଟିଆରଏସ ସହ ମେଣ୍ଟ କରିବାର ପ୍ରଶ୍ନ ଉଠୁନି: ଯିଏ କହିବେ ତାଙ୍କୁ ବାହାର ରାସ୍ତା ଦେଖାଇଦିଆଯିବ: ରାହୁଲ ଗାନ୍ଧୀ

ହାଇଦ୍ରାବାଦ: ଟିଆରଏସ ଉପରେ ଖପ୍ପା କଂଗ୍ରେସ ନେତା ରାହୁଲ ଗାନ୍ଧୀ | କୌଣସି ପରିସ୍ଥିତିରେ ବି ତାଙ୍କ ଦଳ ଟିଆରଏସ ସହ ମେଣ୍ଟ ନ କରିବା ନେଇ ସେ ଅଡ଼ି ବସିଛନ୍ତି | ଏନେଇ ନିଜ ଦଳୀୟ ନେତାଙ୍କୁ ମଧ୍ୟ ନାଲି ଆଖି ଦେଖାଇଛନ୍ତି |

ଆଗକୁ ତେଲେଙ୍ଗାନାରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏନେଇ ଏବେ ଠୁ ସମସ୍ତ ଦଳ ନିର୍ବାଚନ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟରେ ପ୍ରଚାର ଅଭିଯାନ ଆରମ୍ଭ କରିଦେଲେଣି । ଏହାସହ ସେ ଶୁକ୍ରବାର ଏକ ବଡ ରାଲିରେ ଉଦବୋଧନ ଦେଇଥିଲେ । ରାଲିରେ କଂଗ୍ରେସ କାହା ସହ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ ଭାବେ କହିଥିଲେ ।

ରାହୁଲ କହିଥିଲେ ଯେ, କଂଗ୍ରେସ କୌଣସି ପରିସ୍ଥିତିରେ ଟିଆରଏସ ସହ ମେଣ୍ଟ କରିବ ନାହିଁ । ଅନେକ ନେତା ଟିଆରଏସ ସହ ମେଣ୍ଟ କରିବା ପାଇଁ କହୁଛନ୍ତି । ଯିଏ ଏପରି କହିବେ ତାଙ୍କୁ ଦଳରୁ ବାହାର କରି ଦିଆଯିବ । ଯେତେ ବଡ ନେତା ହେଲେ ବି ବିଚାର କରାଯିବ ନାହିଁ । କାରଣ ଟିଆରଏସ ତେଲେଙ୍ଗାନା ସହ ଧୋକା କରିଛି । ତେଲେଙ୍ଗାନାର ସ୍ୱପ୍ନକୁ ଟିଆରଏସ ନଷ୍ଟ କରିଛି ।

ରାହୁଲ ଆହୁରି କହିଛନ୍ତି ଯେ, ଯେଉଁମାନେ ଟିଆରଏସ ସହ ମେଣ୍ଟ କଥା ତହୁଛନ୍ତି ସେମାନେ ବିଜେପିରେ ସାମିଲ ହୋଇପାରନ୍ତି । କାରଣ ବିଜେପି ଚନ୍ଦ୍ରଶେଖର ରାଓଙ୍କୁ ସମର୍ଥନ କରୁଛି । ନରେନ୍ଦ୍ର ମୋଦୀ ଯେତେବେଳେ ସଂସଦରେ ବିଭିନ୍ନ ଆଇନ ଆଣିଥିଲେ ସେତେବେଳେ ଟିଆରଏସ ନେତାଙ୍କ ବୟାନ ଭିନ୍ନ ଥିଲା ।

ସେ ଆହୁରି କହିଛନ୍ତି ଯେ, କେନ୍ଦ୍ରରେ ବିଜେପି ସରକାର ଅଛି । ତେଣୁ ତେଲେଙ୍ଗାନାରେ ବଡ ଦୁର୍ନୀତି ହୋବର ସମ୍ଭାବନା ରହିଛି । ସେମାନଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ନେବ ନାହିଁ । ଏହାସହ ତେଲେଙ୍ଗାନାରେ କଂଗ୍ରେସ ଆସିଲେ କୃଷକଙ୍କ ଋଣ ଛାଡ କରାଯିବ । ଛତିଶଗଡରେ କଂଗ୍ରେସ ଏହି ପ୍ରତିଶ୍ରୁତି ପୂରଣ କରିଛି । ତେଲେଙ୍ଗାନାରେ ମଧ୍ୟ ଏପରି ହେବ ବୋଲି ସେ କହିଛନ୍ତି ।

Related Posts