କାଶ୍ମୀର ପ୍ରସଙ୍ଗରେ ମିଛ କହୁଛନ୍ତି ଟ୍ରମ୍ପ !

ସତ୍ୟପାଠ ବ୍ୟୁରୋ : କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ଅନୁରୋଧ କରି ନାହାଁନ୍ତି । ବରଂ ଟ୍ରମ୍ପ ମିଛ କହୁ ଥାଇ ପାରନ୍ତି । ଭାରତ-ପାକ୍ ସମସ୍ୟାରେ ତୃତୀୟ ପକ୍ଷର କୌଣସି ଆବଶ୍ୟକତା ନାହିଁ ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ରାଜ୍ୟସଭାରେ ଏହି ବିବୃତି ରଖିଛନ୍ତି ।

ମନ୍ତ୍ରୀ କହିଛନ୍ତି କେବଳ ଦ୍ୱିପାକ୍ଷିକ ଆଲୋଚନାରେ ହିଁ ଏହି ସମସ୍ୟାର ସମାଧାନ ହେବ । କାଶ୍ମୀର ପ୍ରସଙ୍ଗରେ କୌଣସି ଦ୍ୱିମତ ନାହିଁ ବୋଲି ଜୟଶଙ୍କର କହିଛନ୍ତି । ଏହାଛଡା ସିମଲା ଚୁକ୍ତି ଓ ଲାହୋର ଚୁକ୍ତିକୁ ନେଇ ଭାରତ ଆଗକୁ ବଢ଼ିବ ବୋଲି କହିଛନ୍ତି । ତେବେ ଆତଙ୍କାବାଦ ଶେଷ ହେଲେ ଏ ସମ୍ପର୍କରେ ଦୁଇଦେଶ ଆଲୋଚନା କରିପାରିବେ । ସୀମାପାର କରୁଥିବା ଆତଙ୍କବାଦର ମୂଳୋତ୍ପାଟନ ପରେ ହିଁ ଶାନ୍ତିର ବାର୍ତ୍ତା ସମ୍ଭବ ହୋଇ ପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ତେବେ କେନ୍ଦ୍ରମନ୍ତ୍ରୀଙ୍କ ବିବୃତି ପରେ ଗୃହରେ ହଟ୍ଟଗୋଳ ହୋଇଛି । ବିରୋଧୀ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବୀ କରିଛନ୍ତି ।

Related Posts