ଟିକା ତ ନାହିଁ, ଯଦି ଅଦାଲତ କହିବେ ସମସ୍ତଙ୍କୁ ଦିଅ ତା ହେଲେ କଣ ଆମେ ଫାଶୀ ରେ ଝୁଲି ଆତ୍ମହତ୍ୟା କରିବୁ? କେନ୍ଦ୍ର ମନ୍ତ୍ରୀ ଗୌଡା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ସାରା ଦେଶରେ ଏବେ ଟୀକା ଅଭାବକୁ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଛି। ନିକଟରେ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ଟିକା ଅଭାବ କାରଣରୁ ଟୀକାକରଣ ଅଭିଯାନ ବନ୍ଦ ରଖିବାକୁ ଘୋଷଣା କରିଥିଲେ। ଏପଟେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ମଧ୍ୟ ଟିକା ଅଭାବ ନେଇ ଚିନ୍ତା ପ୍ରକଟ କରିଥିଲେ। ତେବେ ଏତେ ସବୁ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ କେନ୍ଦ୍ର କେମିକାଲ୍ସ ଏବଂ ଫର୍ଟିଲାଇଜର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡା ଗୁରୁବାର ଦିନ ପ୍ରଶ୍ନ କରିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଟିକା ଉତ୍ପାଦନ କରିବାରେ ବିଫଳ ହେବା କାରଣରୁ ସରକାରୀ କର୍ମଚାରୀମାନେ କଣ ନିଜକୁ ଫାଶୀ ଦେଇ ଦେବା ଉଚିତ କି?ପିଟିଆଇ ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, “ଦେଶର ସମସ୍ତଙ୍କୁ ଟୀକାକରଣ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି।  ମୁଁ ଆପଣଙ୍କୁ ପଚାରିବାକୁ ଚାହେଁ, ଯଦି ଆସନ୍ତାକାଲି କୋର୍ଟ କୁହନ୍ତି ଯେ ସମସ୍ତଙ୍କୁ ଟିକା ଦେବାକୁ ପଡିବ । ତା ହେଲେ କଣ ଆମେ ଫାଶୀ ରେ ଝୁଲି ଆତ୍ମହତ୍ୟା କରିବୁ ? ” ଗୌଡା କହିଛନ୍ତି ଯେ ସରକାରଙ୍କ ପ୍ରଶାସନିକ ନିଷ୍ପତ୍ତି କୌଣସି ରାଜନୈତିକ ଉଦ୍ଦେଶ୍ୟ କିମ୍ବା ନ୍ୟସ୍ତ ସ୍ୱାର୍ଥ ଦ୍ୱାରା ପରିଚାଳିତ ନୁହେଁ। ଏହି ମହାମାରୀ ଉପରେ ଭାରତ ବିଜୟୀ ହୋଇଥିବା ଘୋଷଣା କରିବା ପରେ, କୋଭିଡ ର ଦ୍ବିତୀୟ ଲହରରେ ଭାରତରେ ଦେଖାଦେଇଥିବା ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଖୁବ୍ ଆଲୋଚନାର ଶୀକାର ହେବାକୁ ପଡିଛି।  ଦିଲ୍ଲୀ, ଆହ୍ଲାବାଦ ଏବଂ କର୍ଣ୍ଣାଟକର ହାଇକୋର୍ଟ ତଥା ଦେଶର ସୁପ୍ରିମକୋର୍ଟ ମଧ୍ୟ ଟିକା ବଣ୍ଟନ, ବେଡ୍ ଏବଂ ଅମ୍ଳଜାନ ଉପଲବ୍ଧତାକୁ ନେଇ କେନ୍ଦ୍ରର ନୀତି ଉପରେ ପ୍ରଶ୍ନ କରିଛନ୍ତି। ତେବେ ମନ୍ତ୍ରୀ କହିଛନ୍ତି ଯେ ସରକାର ନିଜ କାର୍ଯ୍ୟକୁ ‘ଆନ୍ତରିକତା ଏବଂ ସଚ୍ଚୋଟତା’ ସହ କରିଆସୁଛନ୍ତି, ଏହି ସମୟ ମଧ୍ୟରେ କିଛି ଅଭାବ ଦେଖାଦେଇଛି। ଗୌଡା ଆହୁରି ମଧ୍ୟ କହିଛନ୍ତି ଯେ , “ପ୍ରକୃତରେ, କିଛି ଜିନିଷ, ଯାହା ଆମର ନିୟନ୍ତ୍ରଣ ବାହାରେ, ଆମେ ସେଗୁଡିକୁ ପରିଚାଳନା କରିପାରିବା କି?”  ସେ କହିଛନ୍ତି ଯେ ଗୋଟିଏ କିମ୍ବା ଦୁଇ ଦିନରେ ଜିନିଷ ଭଲ ହୋଇଯିବା ସହ ଲୋକଙ୍କୁ ଟିକା ଦିଆଯିବା ପାଇଁ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି।” ଭାରତୀୟ ଜନତା ପାର୍ଟି (ବିଜେପି) ର ଜାତୀୟ ସାଧାରଣ ସମ୍ପାଦକ ସି ଟି ରବି ମଧ୍ୟ ଦାବି କରିଛନ୍ତି ଯେ ‘ଉପଯୁକ୍ତ ବ୍ୟବସ୍ଥା’ ବିନା ମୃତ୍ୟୁ ସଂଖ୍ୟା ବହୁଗୁଣିତ ହୋଇଥାନ୍ତା। ବ୍ୟବସ୍ଥିତ ପ୍ରସ୍ତୁତି ହେତୁ ଅମ୍ଳଜାନ ଯୋଗାଣକୁ 300 ମେଟ୍ରିକ୍ ଟନ୍ ରୁ 1,500 ମେଟ୍ରିକ୍ ଟନ୍ କୁ ବୃଦ୍ଧି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଏବଂ ସଂକ୍ରମଣ ବୃଦ୍ଧି ହେତୁ ପ୍ରସ୍ତୁତି ବିଫଳ ହୋଇଛି ବୋଲି ସେ ସ୍ବୀକାର କରିଛନ୍ତି। ଟିକା ଆବଣ୍ଟନକୁ ନେଇ କୋର୍ଟଙ୍କ ମନ୍ତବ୍ୟ ଉପରେ ରବି କହିଛନ୍ତି, “ବିଚାରପତିମାନେ ସର୍ବଜ୍ଞ ନୁହଁନ୍ତି । ଆମ ପାଖରେ ଯାହା ଉପଲବ୍ଧ ରହିଛି ତାହା ଆଧାରରେ ବୈଷୟିକ ପରାମର୍ଶଦାତା କମିଟି କେତେ ଟିକା ବଣ୍ଟନ କରାଯିବା ଆବଶ୍ୟକ ତାହା ସୁପାରିଶ କରିବ । ସେହି ରିପୋର୍ଟକୁ ଆଧାର କରି ଆମେ ନିଷ୍ପତ୍ତି ନେବୁ। ’ ଭାରତ ଦୈନିକ 3 ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ଓଡିଶା, ତେଲେଙ୍ଗାନା, ତାମିଲନାଡୁ, ରାଜସ୍ଥାନ, ହରିୟାଣା ଏବଂ ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟରେ ଟିକା ଅଭାବ ଦେଖାଦେଇଛି।  

Related Posts