‘ମୋଦି ସରକାର ଥିବା ପର୍ଯ୍ୟନ୍ତ ଦେଶର କେହି ଇଞ୍ଚେ ବି ଜମି ନେଇପାରିବେ ନାହିଁ’: ଅମିତ ଶାହ

ଭୁବନେଶ୍ୱର,୧୩/୧୨ (ସତ୍ୟପାଠ ବ୍ୟୁରୋ): ଭାରତ ଓ ଚୀନ୍ ସେନା ମଧ୍ୟରେ ତୱାଙ୍ଗରେ ହୋଇଥିବା ସଂଘର୍ଷ ଯୋଗୁ ପୁଣିଥରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ସ୍ଥିତି ଉଦ୍‌ବେଗଜନକ ରହିଛି। ଗତ ଡିସେମ୍ବର ୯ ତାରିଖରେ ହୋଇଥିବା ସଂଘର୍ଷରେ ଉଭୟ ପକ୍ଷର ସେନା ଆହତ ହୋଇଛନ୍ତି। ତେବେ ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚୀନ୍‌କୁ କଡା ଚେତାବନୀ ଦେଇଛନ୍ତି।

ଅମିତ ଶାହ କହିଛନ୍ତି ଯେ, ମୋଦି ସରକାର ଥିବା ଯାଏଁ ଦେଶର କେହି ଇଞ୍ଚେ ବି ଜମି ନେଇପାରିବେ ନାହିଁ। ସୀମାରେ ସଜାଗ ଥିବା ଭାରତୀୟ ବୀର ଯବାନଙ୍କୁ ସଲାମ। ଯେଉଁମାନେ ମାଟି ମା’ର ସୁରକ୍ଷା ପାଇଁ ସୀମାରେ ଲଢେଇ କରିଛନ୍ତି। ୮ ଓ ୯ ଡିସେମ୍ବରରେ ଅରୁଣାଚଳ ପ୍ରଦେଶରେ ଡ୍ରାଗନ ସେନା ଭାରତର ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ ଭାରତୀୟ ଯବାନ ଏହାର ମୁହଁତୋଡ ଜବାବ ଦେଇଛନ୍ତି। ସେହିପରି ଏନେଇ କଂଗ୍ରେସକୁ ମଧ୍ୟ କଡା ଟାର୍ଗେଟ କରି ଶାହା କହିଛନ୍ତି, କଂଗ୍ରେସ ସରକାର ସମୟରେ ୧୦୦୦ କିଲୋମିଟର ଭାରତର ଜମି ଚୀନ୍ ସେନା ଦ୍ୱାରା ଅବୈଧ ରୂପେ ହଡପ କରି ନିଆଯାଇଥିଲା। ନିଜ ସମ୍ପର୍କକୁ ସୁଦୃଢ କରିବାକୁ ଜାତିସଂଘରେ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପଦକୁ ଚୀନ୍ ହାତକୁ ଟେକି ଦେଇଥିଲା କଂଗ୍ରେସ ସରକାର। ଆଉ ଏ ବାବଦରେ ଦେଶର ଜନତା ସବୁ ସତ ଜାଣିଛନ୍ତି। ୨୦୦୬-୦୭ ଚୀନ୍ ଦୂତାବାସରୁ କଂଗ୍ରେସ ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ବିରୋଧୀଦଳ ଆଜି ଲୋକସଭାରେ ପ୍ରଶ୍ନକାଳ ଚାଲିବାକୁ ଦେଇନାହାଁନ୍ତି ଏବଂ ମୁଁ ଏହି କାର୍ଯ୍ୟକୁ ନିନ୍ଦା କରୁଛି। କଂଗ୍ରେସର ପରିବାର ଦ୍ୱାରା ପରିଚାଳିତ ରାଜୀବ ଗାନ୍ଧୀ ଫାଉଣ୍ଡେସନ ଚୀନ୍ ଠାରୁ ଟଙ୍କା ନେଇଛି। କଂଗ୍ରେସକୁ ରାଜୀବ ଗାନ୍ଧୀ ଫାଉଣ୍ଡେସନରୁ ୧.୩୫ କୋଟି ଟଙ୍କା ମିଳିଛି। ତେଣୁ ଦଳର ଏହି ଡବଲ୍ ଷ୍ଟାଣ୍ଡାର୍ଡ ଲୋକଙ୍କ ସାମ୍ନାରେ କାମ କରେ ନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଡ୍ରାଗନ ସେନାର ପ୍ରାୟ ୩ଶହ ଯବାନ ଅଚାନକ୍ ଡିସେମ୍ବର ୯ ତାରିଖରେ ପ୍ରକୃତ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତୀୟ ସେନା ସହ ଗଣ୍ଡଗୋଳ କରିଥିଲେ। ଏହାର ମୁକାବିଲା କରିଥିଲେ ସୀମାରେ ଉପସ୍ଥିତ ଥିବା ଭାରତୀୟ ଯବାନ। ଏହି ଘଟଣାରେ ୬ ଜଣ ଭାରତୀୟ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଗୌହାଟୀ ଅଣାଯାଇଛି। ଚୀନ ସେନାର ମଧ୍ୟ ୧୨ରୁ ଅଧିକ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏହି ସଂଘର୍ଷରେ କୌଣସି ଭାରତୀୟ ଯବାନ ସହିଦ କିମ୍ବା ଗୁରୁତର ଆହତ ହୋଇନଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦରେ ସୂଚନା ଦେଇଛନ୍ତି।

Related Posts