ପେଗାସସ୍ ଟାର୍ଗେଟ ଲିଷ୍ଟରେ BSF, RAW ଏବଂ ସେନା ଅଧିକାରୀଙ୍କ ନମ୍ବର : ରିପୋର୍ଟ

(ସତ୍ୟପାଠ ବ୍ୟୁରେ) ଭୁବନେଶ୍ୱର : ପେଗାସସ୍ ଜାସୁସି (Pegasus Snoopgate) ରେ ଆଉ ଏକ ନୂତନ ଖୁଲାସା ହୋଇଛି। ସୂଚନା ମୁତାବକ ସୁରକ୍ଷା ଏଜେନ୍ସି ଏବଂ ଗୁପ୍ତଚର ସଂସ୍ଥାଗୁଡ଼ିକର ମଧ୍ୟ ଜାସୁସି କରାଯାଇଛି । ଦି ୱାୟାରରେ ପ୍ରକାଶିତ ଏକ ନୂତନ ରିପୋର୍ଟ ଅନୁଯାୟୀ, ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ଦୁଇଜଣ ଅଧିକାରୀ, RAW ର ପୂର୍ବତନ ବରିଷ୍ଠ  ଅଧିକାରୀ ଏବଂ ଭାରତୀୟ ସେନାର ଅତି କମରେ ଦୁଇଜଣ ଅଧିକାରୀଙ୍କୁ ସମ୍ଭାବ୍ୟ ଜାସୁସି ତାଲିକାରେ ଚିହ୍ନଟ କରାଯାଇଛି। 

 ଇସ୍ରାଏଲ୍ କମ୍ପାନୀ NSO ଗ୍ରୁପ୍ ର ପେଗାସସ୍ ସ୍ପାଏୱେର୍ 10 ଟି ଦେଶରେ ପ୍ରାୟ 50,000 ନମ୍ବରର ସମ୍ଭାବ୍ୟ ଗୁଇନ୍ଦାଗିରି କରିଥିବା ନେଇ ସୂଚନା ମିଳିଛି। ଲିକ୍ ହୋଇଥିବା ଡାଟାବେସରେ 300 ଭାରତୀୟ ଫୋନ୍ ନମ୍ବର ଅଛି ।

 ଦ ୱାୟାର ରିପୋର୍ଟରେ କୁହାଯାଇଛି ଯେ 2018 ରେ ବିଏସଏଫ ମୁଖ୍ୟ କେ କେ ଶର୍ମା, ବିଏସଏଫ ଇନ୍ସପେକ୍ଟର ଜେନେରାଲ ଜଗଦୀଶ ମଥାନି, ଅବସରପ୍ରାପ୍ତ ବରିଷ୍ଠ ଆରଏଫ ଅଧିକାରୀ ଜିତେନ୍ଦ୍ର କୁମାର ଓଝା ଏବଂ ତାଙ୍କ ପତ୍ନୀଙ୍କ ନମ୍ବରକୁ ସମ୍ଭାବ୍ୟ ଜାସୁସି ପାଇଁ ଚୟନ କରାଯାଇଥିଲା।

 ଟାର୍ଗେଟ ତାଲିକାରେ ଦୁଇ ଭାରତୀୟ ସେନା ଅଧିକାରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । କର୍ଣ୍ଣେଲ ପଦବୀର ଏହି ଦୁଇ ଅଧିକାରୀ କୌଣସି ପ୍ରସଙ୍ଗକୁ ନେଇ ସରକାରଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

 ତେବେ ଏହି ନମ୍ବର ଗୁଡ଼ିକ ମଧ୍ୟରୁ କେଉଁଟି ଜାସୁସି ହୋଇଛି କି ନାହିଁ ତାହା ଜଣା ପଡିନାହିଁ।  କାରଣ ଏଥିପାଇଁ ଫୋନର ଫୋରେନସିକ୍ ଟେଷ୍ଟ ଆବଶ୍ୟକ ।

  ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା କନ୍ସୋର୍ଟିୟମ୍ ପେଗାସସ୍ ଜାସୁସି ଏବଂ ସମ୍ଭାବ୍ୟ ତଦାରଖ ରିପୋର୍ଟ ପ୍ରକାଶ କରୁଛି । ଲିକ୍ ହୋଇଥିବା ଡାଟାବେସ୍ ଫ୍ରାନ୍ସର ନନ୍ ପ୍ରଫିଟ୍ କଂପାନୀ ଫରବିଡେନ୍ ଷ୍ଟୋରି ଏବଂ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ ଦ୍ୱାରା ଅନୁସନ୍ଧାନ କରାଯାଇଛି। ଏଥିରୁ ମିଳିଛି ଯେ ପେଗାସସ୍ ଟାର୍ଗେଟ ତାଲିକାରେ ସାରା ବିଶ୍ୱରୁ ସାମ୍ବାଦିକ, ଆକ୍ଟିଭିସ୍ଟ ଏବଂ ରାଜନେତାଙ୍କ ନମ୍ବର ମଧ୍ୟ ରହିଛି ।

 ଜୁଲାଇ 18 ଠାରୁ ଏହି ପରି ଅନେକ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର, ପୂର୍ବତନ ନିର୍ବାଚନ କମିଶନର ଅଶୋକ ଲବାସାଙ୍କ ସମେତ ଦୁଇଜଣ କେନ୍ଦ୍ର ମନ୍ତ୍ରୀଙ୍କ ନାମ ମଧ୍ୟ ସମ୍ଭବ୍ଯ ଜାସୁସି ତାଲିକାରେ ପ୍ରକାଶ ପାଇଛି।

 ଅନେକ ସାମ୍ବାଦିକଙ୍କର ମଧ୍ୟ ଗୁଇନ୍ଦାଗିରି କରାଯାଇଥିବା ଅଭିଯୋଗ ହୋଇଛି। ଏଥିସହ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ମହିଳାଙ୍କ ଫୋନ୍ ନମ୍ବର ମଧ୍ୟ ସମ୍ଭାବ୍ୟ ଜାସୁସି ତାଲିକାରେ ଥିଲା । ସେହିପରି ଏହି ଅନିଲ ଅମ୍ବାନୀ, ଭିଏଚପି ନେତା ପ୍ରବୀଣ ତୋଗୋଡିଆଙ୍କ ସମେତ ପୂର୍ବତନ ସିବିଆଇ ଅଧିକାରୀଙ୍କ ଫୋନ୍ ଟ୍ୟାପିଂ ହୋଇଥିବା ନେଇ ରିପୋର୍ଟରେ କୁହାଯାଇଛି। 

 ତେବେ ଭାରତ ସରକାର ଏହାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି।  ପେଗାସସ୍ ପ୍ରୋଜେକ୍ଟ ଦ୍ବାରା ଭାରତର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବାର ପ୍ରୟାସ କରାଯାଉଛି ବୋଲି କେନ୍ଦ୍ର ସରକାର ଯୁକ୍ତି ବାଢିଛନ୍ତି। 

Related Posts