” ଦେଶଭକ୍ତଙ୍କ ବଦଳରେ ଯଦି ପାକ୍ ଏଜେଣ୍ଟମାନଙ୍କ ଫୋନ୍ ହ୍ୟାକ୍ କରିଥାନ୍ତେ , ତେବେ ପୁଲୱାମା ଭଳି ଘଟଣା ଘଟି ନଥାନ୍ତା ” – ପ୍ରବୀଣ ତୋଗାଡିଆ

(ସତ୍ୟପାଠ ବ୍ୟୁରେ) ଭୁବନେଶ୍ୱର : ପେଗାସସ୍ ବିବାଦରେ ଛନ୍ଦି ହୋଇଛନ୍ତି ମୋଦୀ ସରକାର। ବିରୋଧୀ ସରକାରଙ୍କୁ ଘେରୁ ଥିବା ବେଳେ ଏବି ବିଶ୍ୱ ହିନ୍ଦୁ ପରିଷଦର ନେତା ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପେଗାସସ୍ ଜାସୁସି ତାଲିକାରେ ବିଶ୍ୱ ହିନ୍ଦୁ ପରିଷଦ ନେତା ପ୍ରବୀଣ ତୋଗାଡିଆଙ୍କ ନାମ ସାମ୍ନାକୁ ଆସିବା ପରେ ସେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ,  ଯଦି ଆମ ଭଳି ଦେଶପ୍ରେମୀଙ୍କୁ ଛାଡି ଦେଶରେ ଭିତରେ ପାକିସ୍ତାନୀ ଏଜେଣ୍ଟମାନଙ୍କ ଫୋନ୍ ଟ୍ୟାପ୍ ହୋଇଥାନ୍ତା, ତେବେ ଦେଶରେ ପୁଲୱାମା ଭଳି ଘଟଣା ହୋଇ ନଥାନ୍ତା।  ପ୍ରବୀଣ ତୋଗାଡିଆଙ୍କ ଏହି ବୟାନକୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ସମର୍ଥନ କରିଛନ୍ତି। ତୋଗାଡିଆଙ୍କ ବିବୃତ୍ତିକୁ ସମର୍ଥନ କରି ସେ କହିଛନ୍ତି ଯେ ପୁଲୱାମା ହେଉଛି ଆମ ଇଣ୍ଟେଲିଜେନ୍ସର ସମ୍ପୂର୍ଣ୍ଣ ବିଫଳତା।

 ପେଗାସସ୍ ତାଲିକାରେ ତାଙ୍କ ନାମ ପ୍ରକାଶ ପାଇବା ପରେ ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରବୀଣ ତୋଗାଡିଆ କଟାକ୍ଷ କରି କହିଛନ୍ତି ଯେ ‘କିଛି ଲୋକ’ କ୍ଷମତାରେ ନଥିବା ବେଳେ ଆମେ ସେମାନଙ୍କଳ ପାଇଁ ପ୍ରିୟ ଥିଲୁ। କିନ୍ତୁ ବର୍ତ୍ତମାନ ସେମାନେ ଯେତେବେଳେ କ୍ଷମତାରେ ଅଛନ୍ତି ସେମାନେ ଆମ ଚେହେରାକୁ ପସନ୍ଦ କରନ୍ତି ନାହିଁ କିନ୍ତୁ ଜାସୁସି କରି ଆମ କଥା ଶୁଣୁଛନ୍ତି। ସେ କହିଛନ୍ତି ଯେ ମୋ ଭଳି ହଜାର ହଜାର ଦେଶଭକ୍ତଙ୍କ ଜାସୁସି କରିବା ପରିବର୍ତ୍ତେ ଯଦି ଆମେ ଦେଶରେ ବସିଥିବା ପାକିସ୍ତାନୀ ଏଜେଣ୍ଟମାନଙ୍କ ଗୁଇନ୍ଦାଗିରି କରିଥା’ନ୍ତେ, ତେବେ ଦେଶରେ ପୁଲୱାମା ଭଳି ଘଟଣା ଘଟି ନଥାନ୍ତା ।

 ମୋଦୀ-ଶାହାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ସେ କହିଛନ୍ତି ଯେ ମୁଁ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ସହ ହଜାରେ ଘଣ୍ଟା ଧରି କଥା ହୋଇଛି। ସେହି ଲୋକମାନଙ୍କ ପାଇଁ ଏହା ବୁଝାପଡୁ ନାହିଁ ଯେ ଯେଉଁମାନଙ୍କ ସହ ମୁଁ ହଜାର ହଜାର ଘଣ୍ଟା ଧରି କଥା ହୋଇଥିଲି, ସେହି ଲୋକମାନଙ୍କୁ ଗୁପ୍ତରେ ମୋ କଥା ଶୁଣିବାକୁ ପଡିବ । ସେ କହିଛନ୍ତି ଯେ ଯଦି ଇସ୍ରାଏଲ୍ କମ୍ପାନୀ ଏହି ସଫ୍ଟୱେୟାରକୁ କୌଣସି ବ୍ୟକ୍ତିଙ୍କୁ ପ୍ରଦାନ କରେ ନାହିଁ, ତେବେ ଏହି ସଫ୍ଟୱେୟାର କିଏ କିଣିଛନ୍ତି  ଭାରତ ସରକାର ଏହାର ଅନୁସନ୍ଧାନ କରିବା ଉଚିତ।

 ସେ ପ୍ରଶ୍ନ କରିଛନ୍ତି ଯେ ଏ ସବୁ ଘଟଣା ଘଟିବା ପରେ ଆମେ କଣ କରୁଛୁ। ଏହି ଗୁଇନ୍ଦାଗିରି ମାଧ୍ୟମରେ ଭାରତୀୟ ଦେଶପ୍ରେମୀଙ୍କ ସୂଚନା ପାକିସ୍ତାନକୁ ଦିଆଯାଉ ନାହିଁ ବୋଲି ସରକାର ନିଶ୍ଚିତ କରିବା ଉଚିତ୍।  ଦେଶ ପାଇଁ ପ୍ରବୀଣ ତୋଗାଡିଆ କୌଣସି ରାଜନୈତିକ ଦଳ, ସାମ୍ବାଦିକ ଦେଶ ପାଇଁ ବିପଦ ନୁହନ୍ତି ବରଂ ପାକିସ୍ତାନୀ ଏଜେଣ୍ଟମାନେ ହେଉଛନ୍ତି ବିପଦ। 

 ପ୍ରବୀଣ ତୋଗାଡିଆଙ୍କ ଏହି ବୟାନକୁ ନେଇ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ କହିଛନ୍ତି ଯେ ମୁଁ ତାଙ୍କ ସହ ସହମତ, ଏହା ସତ ଯେ ପୁଲୱାମା ଆମର ଗୁପ୍ତଚର ସଂସ୍ଥାଗୁଡ଼ିକର ସମ୍ପୂର୍ଣ୍ଣ ବିଫଳତା।

 ସୂଚନାଯୋଗ୍ୟ ଯେ, 14 ଫେବୃଆରୀ 2019 ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 40 CRPF କର୍ମଚାରୀ ସହିଦ ହୋଇଥିଲେ। ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଏହି ଆକ୍ରମଣରେ 300 କିଲୋଗ୍ରାମ RDX ବ୍ୟବହୃତ ହୋଇଥିଲା । ଏତେ ପରିମାଣରେ RDX ପୁଲୱାମାରେ କିପରି ପହଞ୍ଚିଲା ତାହା ଏବେ ସୁଦ୍ଧା ଜଣାପଡି ନାହିଁ। 

ପ୍ରବୀଣ ତୋଗାଡିଆ ଏବଂ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କକୁ ନେଇ ଅନେକ ଆଲୋଚନା ହେଉଛି। ସମୟ ଥିଲା ଉଭୟଙ୍କୁ ଅତି ଘନିଷ୍ଠ ବନ୍ଧୁ ଭାବରେ ବିବେଚନା କରାଯାଉଥିଲା କିନ୍ତୁ 2002 ପରେ ସମ୍ପର୍କରେ ପରିବର୍ତ୍ତନ ହେବାକୁ ଲାଗିଲା । ଅତୀତରେ, ତୋଗାଡିଆ ରହସ୍ୟମୟ ଭାବରେ ଅନେକ ସମୟ ପର୍ଯ୍ୟନ୍ତ ନିଖୋଜ ଥିଲେ ଏବଂ ଶେଷରେ ଅହମ୍ମଦାବାଦ ବିମାନବନ୍ଦରରେ ଚେତାଶୂନ୍ୟ ହୋଇପଡିଥିବାର ନଜର ଆସିଥିଲେ ।  ତୋଗାଡିଆ ଅଭିଯୋଗ କରିଥିଲେ ଯେ ତାଙ୍କୁ ଏନକାଉଣ୍ଟର କରିବାକୁ ଚେଷ୍ଟା କରାଯାଇଥିଲା।

Related Posts