
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଉନ୍ନାଓରେ ଘଟିଛି ଏକ ଲଜ୍ୟା ଘଟଣା । ଜଣେ ନର୍ସଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରଯାଇଥିବା ନେଇ ଅଭିଯୋଗ ହୋଇଛି । ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ହସ୍ପିଟାଲ ରୁ ଉଦ୍ଧାର ହୋଇଛି ।
ଚାକିରିରେ ଯୋଗ ଦେବାର ମାତ୍ର ଗୋଟିଏ ଦିନ ପରେ ନର୍ସଙ୍କୁ ହତ୍ୟା କରାଯିବା ଅଭିଯୋଗ ହୋଇଛି । ପ୍ରଥମେ ତାଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ଝୁଲାଇ ଦିଆଯାଇଥିବା ସେମାନେ କହିଛନ୍ତି । ପୀଡିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ ୩ ଜଣଙ୍କ ବିରୁଦ୍ଧରେ ଏତଲା ଦାୟର କରିଛି । ଶନିବାର ସକାଳେ ଏହି ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ଉନ୍ନାଓ ଜିଲ୍ଲାର ଏକ ଘରୋଇ ହସ୍ପିଟାଲରୁ ନର୍ସଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଉନ୍ନାଓ ଏଏସ୍ପି କହିଛନ୍ତି, ”ଏହି ଘଟଣା ସମ୍ପର୍କରେ ଅଭିଯୋଗ ପରେ ତିନି ଜଣଙ୍କ ନାଁରେ ଏତଲା ଦାୟର ହୋଇଛି । ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।
ବର୍ତ୍ତମାନ ନର୍ସଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ତଦନ୍ତ ଆରମ୍ଭ ହୋଇଛି ।” ଏହି ଘଟଣା ସମଗ୍ର ଅଞ୍ଚଳରେ ଏବେ ଆଲୋଡନ ସୃଷ୍ଟି କରିଛି । ତେବେ ପ୍ରଶ୍ନ ଉଠିଛି ଅଭିଯୁକ୍ତ ମାନେ ଯଦି ହତ୍ୟା କରିଛନ୍ତି ତେବେ କାହିଁକି ହତ୍ୟା କଲେ ।