ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ( ଦ୍ୱିତୀୟ ) ଭାବେ କାମ କରିବେ ଶକ୍ତିକାନ୍ତ । ଏହା ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଥିଲେ । କ୍ୟାବିନେଟ୍ ଆପଏଣ୍ଟସ୍ କମିଟି ତାଙ୍କ ନିଯୁକ୍ତିକୁ ସୁପାରିଶ କରିଛି । ଏ ସଂପର୍କରେ କାର୍ମିକ ମନ୍ତ୍ରାଳୟ ପକ୍ଷରୁ କ୍ୟାବିନେଟ୍ ଆପଏଣ୍ଟସ୍ କମିଟି ସଚିବ ମନୀଷା ସାକସେନା ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ଶକ୍ତିକାନ୍ତ ହେଉଛନ୍ତି ୧୯୮୦ ବ୍ୟାଚର ତାମିଲନାଡ଼ୁ କ୍ୟାଡରର ଆଇଏଏସ୍ ଅଫିସର । ଏହି ଓଡ଼ିଆ ଅଧିକାରୀ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କାମ କରିଛନ୍ତି । ସେ ତାମିଲନାଡୁରେ ବହୁ ଉଚ୍ଚ ପଦବୀରେ କାମ କରିବା ସହ ଭାରତ ସରକାରଙ୍କ ଅଧୀନରେ ରାଜସ୍ୱ ସଚିବ, ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାମ କରିଛନ୍ତି । ଏପରିକି କେନ୍ଦ୍ର ସ୍ୱତନ୍ତ୍ର ଅର୍ଥ ସଚିବ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି । ସେ ପଞ୍ଚଦଶ ଅର୍ଥ କମିଶନର ସଦସ୍ୟ ମଧ୍ୟ ଥିଲେ । ସେ ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନିଜ କାର୍ଯ୍ୟ କରି ବିଭିନ୍ନ ମହଲରୁ ପ୍ରଶଂସିତ ହୋଇଛନ୍ତି । ସେ ବିଶ୍ୱବ୍ୟାଙ୍କରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ସେ ଆଇଏମଏଫ୍, ଜି୨୦, ବ୍ରିକ୍ସ, ସାର୍କ ଆଦି ବିଶ୍ୱର ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ଭୁବନେଶ୍ୱରରେ ତାଙ୍କର ଜନ୍ମ ଓ ସେ ଭୁବନେଶ୍ୱର ଡି ଏମ୍ ସ୍କୁଲର ଛାତ୍ର ଥିଲେ । ତାଙ୍କ ପୈତୃକ ଘର ଆଠଗଡ଼ରେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ୨୦୨୩ରେ ଗଭର୍ଣ୍ଣର ଅଫ୍ ଦ ଇୟର ଭାବେ ବିବେଚିତ ହୋଇଥିଲେ । ସେଣ୍ଟ୍ରାଲ ବ୍ୟାଙ୍କିଂ ଲଣ୍ଡନ ଦ୍ୱାରା ତାଙ୍କୁ ଗଭର୍ଣ୍ଣର ଅଫ୍ ଦ ଇୟର ଭାବେ ବିବେଚିତ କରାଯାଇଥିଲା । ୨୦୧୮ ଡିସେମ୍ବର ୧୧ ରେ ଭାରତର ୨୫ତମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଥିଲେ ଶକ୍ତିକାନ୍ତ ଦାସ । ଏହି ପଦ ହାସଲ କରିବାରେ ଶକ୍ତିକାନ୍ତ ହେଉଛନ୍ତି ପ୍ରଥମ ଓଡ଼ିଆ । ଏବେ ଆଉ ଜଣେ ଓଡ଼ିଆ ପୁଅ ପି କେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଅଛନ୍ତି ।

ମୁଦ୍ରାସ୍ଫୀତିର ପରିଚାଳନା ଏବଂ କୋଭିଡ ମହାମାରୀ ପରି ସଙ୍କଟ ସମୟରେ ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଦକ୍ଷ ପରିଚାଳନା ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଶକ୍ତିକାନ୍ତ ଦାସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା, ଶକ୍ତିକାନ୍ତ ଦାସ ଅନେକ ଗୁରୁତ୍ୱପୂର୍ଣ ସଂସ୍କାର ଆଣିଛନ୍ତି, କଷ୍ଟଦାୟକ ସମୟ ମଧ୍ୟରେ ଭାରତକୁ ଆଗେଇ ନେଇଛନ୍ତି ।

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଶକ୍ତିକାନ୍ତ ଦାସ ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ । ସେ ଦୁଇ ହଜାର ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଥିଲେ । ଏଥିସହିତ ବିଶ୍ୱ ବଜାରରେ ଅସ୍ଥିରତା ମଧ୍ୟରେ ମୁଦ୍ରାସ୍ଫୀତିର ମୁକାବିଲା କରିବା ନିମନ୍ତେ ସେ ଅତ୍ୟନ୍ତ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଥିଲେ । କରୋନା ସଙ୍କଟ ସମୟରେ ମଧ୍ୟ ତାଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ପ୍ରଶଂସା ସାଉଁଟିଥିଲେ। ସେହି ସମୟ ମଧ୍ୟରେ ସେ ବ୍ୟାଙ୍କଗୁଡ଼ିକୁ କିଛି ମାସ ପାଇଁ ଇଏମଆଇ ସମୟସୀମା କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Related Posts