ଓଡ଼ିଶା କଂଗ୍ରେସର ଭାରତ ଯୋଡ ଯାତ୍ରା; ଦ୍ଵିତୀୟ ଦିନରେ ଫୁଲନଖରା ସ୍ଥିତ ଲଖେଶ୍ୱର ମନ୍ଦିରରୁ ଆରମ୍ଭ ହେଲା ପଦଯାତ୍ରା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା କଂଗ୍ରେସର ଭାରତ ଯୋଡ ଯାତ୍ରା ଦ୍ୱିତୀୟ ଦିନରେ ପହଞ୍ଚିଛି। ଆଜି ଫୁଲନଖରା ସ୍ଥିତ ଲଖେଶ୍ୱର ମନ୍ଦିରରୁ ଏହି ଯାତ୍ରା ବାହାରିଛି। ଏହି ଯାତ୍ରାର ଅନ୍ୟ ନାମ ରଖାଯାଇଛି ପରିବର୍ତ୍ତନ ଯାତ୍ରା। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଯାତ୍ରାକୁ ଆଜି କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଵାଗତ କରାଯାଇଥିଲା।

ଏହି ଯାତ୍ରାରେ ସବୁ ବର୍ଗକୁ ଯାତ୍ରାରେ ଯୋଡ଼ିବାକୁକୁ ପ୍ରୟାସ କରୁଛି କଂଗ୍ରେସ୍ । ତେବେ ଗତ ଅକ୍ଟୋବର ୩୧ ତାରିଖରେ ଏହି ଯାତ୍ରା ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରାକୁ ରାଜ୍ୟ କଂଗ୍ରେସର ପ୍ରଭାରୀ ଚେଲ୍ଲା କୁମାର ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ । ପ୍ରଥମ ଦିନରେ ଏହି ଯାତ୍ରା ଇନ୍ଦିରା ଗାନ୍ଧୀ ପାର୍କରୁ ବାହାରି ଫୁଲନଖରା ସ୍ଥିତ ଲଖେଶ୍ୱର ମନ୍ଦିର ନିକଟରେ ପହଞ୍ଚିଥିଲା। ଏହାପରେ ନଭେମ୍ବର ୧ ଓ ୨ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା। ଆଜି ପୁନର୍ବାର ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଦଳର ବିଧାୟକ ଓ ବରିଷ୍ଠ ନେତା ମାନେ ଯୋଗ ଦେଇଛନ୍ତି।

ସୂଚନା ଅନୁସାରେ, ଏହି ଯାତ୍ରା ମାଧ୍ୟମରେ ପ୍ରତ୍ୟେକଦିନ ୨୦ କିମି ଚାଲିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି। ଏହି ଯାତ୍ରା ୯୦ ଦିନ ଧରି ଚାଲିବାକୁ ଥିବାବେଳେ ୨୨୫୦ କିମି ରାସ୍ତା ଅତିକ୍ରମ କରିବାକୁ ଲକ୍ଷ ରଖାଯାଇଛି। ସେହିପରି ଏହି ଭାରତ ଯୋଡ଼ ପଦଯାତ୍ରା ୨୭ଟି ଜିଲ୍ଲାର ୧୯ଟି ସଂସଦୀୟ କ୍ଷେତ୍ର ଦେଇ ଯିବ । ପଦଯାତ୍ରାରେ ଚାଲୁଥିବା ନେତାଙ୍କ ପାଇଁ ପ୍ରତି ୨୦ କିମିରେ ଟେଣ୍ଟର ବ୍ୟବସ୍ଥା କରାଯିବ । ସେଠାରେ ନେତାଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯିବ । ଯାତ୍ରା ସମୟରେ କଂଗ୍ରେସର ବିଭିନ୍ନ ସେଲ ଏସଏଚଜି ମହିଳା, ବୁଦ୍ଧିଜୀବୀ ଓ କ୍ରୀଡାବିତ୍‌ଙ୍କୁ ଭେଟିବ । ଚାଷୀଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବ କଂଗ୍ରେସ । ଏହି ଯାତ୍ରା ଆଜି ଗୋପାଳପୁର ଦେବ ପ୍ୟାଲେସ ପାଖରେ ରହିବ। ଆସନ୍ତା କାଲି ଜଗତପୁର ଟାଙ୍ଗୀ ଟୋଲ ଗେଟ୍ ରୁ ଯାଜପୁର ଅଭିମୁଖେ ପଦଯାତ୍ରା ବାହାରିବ ବୋଲି ସୂଚନା ମିଳିଛି।

Related Posts