(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ମାସ ଆରମ୍ଭରୁ ସାରା ରାଜ୍ୟରେ ଟୀକାକରଣ ଆରମ୍ଭ କରାଯାଇଛି । ଏହି ଟୀକାକରଣକୁ ନେଇ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଭିକାରୀମାନଙ୍କୁ ବିନା ଆଇଡି ପ୍ରମାଣରେ ଟିକା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗତ 24 ଘଣ୍ଟା ମଧ୍ୟରେ ଓଡ଼ିଶାରେ ମୋଟ 49,191 ନମୁନା ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାରେ ପଜିଟିଭିଟି ହାର 22.32 ପ୍ରତିଶତ ଥିବାର ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ରାଜ୍ୟରେ 98,230 ସକ୍ରିୟ ମାମଲା ରହିଛି । ଅନ୍ୟପଟେ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଓଡିଶା ରେ ମୋଟ 5,65,648 ମାମଲା ଚିହ୍ନଟ କରାଯାଇଥିଲା ବେଳେ 2,232 ଜଣଙ୍କ ମୃତ୍ୟୁ ଘଟିଛି ।
ଏପରିସ୍ଥିତିରେ ଟୀକାକରଣ କୋ-ୱିନ ଆପରେ ଭିକାରୀମାନେ ପଞ୍ଜୀକରଣ କରି ଟୀକା ନେବାରେ ଅସମର୍ଥ ହେଉଛନ୍ତି । ଭିକାରୀମାନଙ୍କୁ ଛାଡି ବିଭିନ୍ନ ଧର୍ମର ସାଧୁ, ଜେଲର ଅନ୍ତେବାସୀ, ମାନସିକ ରୋଗୀ, ପ୍ରତିଷ୍ଠାନରେ ଅନ୍ତେବାସୀ, ବୃଦ୍ଧାବୃଦ୍ଧ, ପୁନର୍ବାସ ଶିବିରରେ ରହୁଥିବା ଲୋକମାନେ ମଧ୍ୟ ଟୀକା ନେବାରେ ବିଫଳ ହେଉଛନ୍ତି । ତେଣୁ ରାଜ୍ୟ ସରକାର ସଂକ୍ରମଣକୁ ରୋକିବା ପାଇଁ ସେମାନଙ୍କୁ ବିନା କିଛି ID prove ରେ ଟୀକାକରଣ କରିବାର ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ଦିନକୁ ଦିନ ସାରା ରାଜ୍ୟରେ ବଢୁଥିବା ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଛି । 30 ଟି ଜିଲ୍ଲା ମଧ୍ୟରୁ କେବଳ ମାଲକାନଗିରିରେ 100 ରୁ କମ୍ ମାମଲା ରେକର୍ଡ କରାଯାଇଛି । କାଲାହାଣ୍ଡି, ନୁଆପଡା ଏବଂ ସୁନ୍ଦରଗଡରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ବର, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ ଓ ପୁରୀରେ ଜଣେ ରୋଗୀ ମୃତ୍ୟୁବରଣ କରିଛନ୍ତି। ରାଜ୍ୟରେ ନୂତନ ସଂକ୍ରମଣ ମଧ୍ୟରୁ 6,149 ଜଣ କ୍ୱାରାଣ୍ଟିନ କେନ୍ଦ୍ରରୁ ହୋଇଥିବାବେଳେ ଅବଶିଷ୍ଟ 4,833 ଟି ସ୍ଥାନୀୟ ଯୋଗାଯୋଗ ମାମଲା ଥିବାର ସୂଚନା ମିଳିଛି । ତେବେ ସାଧାରଣ ଲୋକ ମାନେ ଟୀକାକରଣ ପାଇଁ COWIN ଆପରେ ସାତୋଟି ନିର୍ଦ୍ଦିଷ୍ଟ ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଦେଲେ ଟୀକା ନେବାରେ ସମର୍ଥ ହୋଇପାରିବେ l କିନ୍ତୁ ପରିଚୟ ପ୍ରମାଣ ଅଭାବରୁ ଏହିପରି ଅସୁରକ୍ଷିତ ବ୍ୟକ୍ତିଙ୍କୁ COVID-19 ଟୀକାକରଣକୁ ବାରଣ କରାଯାଇପାରିବ ନାହିଁ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା କର୍ତ୍ତୃପକ୍ଷ ପୌରୋପାଳିକା କମିଶନରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।