୨୦୨୪ ପାଇଁ ବିଜେପି ଫୋକସରେ ଓଡ଼ିଶା; ୨ ଦିନରେ ଓଡ଼ିଶା ଆସୁଛନ୍ତି ୭ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୪ ପାଇଁ ବିଜେପି ଫୋକସରେ ଓଡ଼ିଶା। କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ନୂଆ ପ୍ରଭାରୀ ସୁନୀଲ ବଂଶଲ ଆସି ଓଡ଼ିଶାରେ ଦଳର ସଙ୍ଗଠନକୁ ମଜଭୁତ କରିବାର ଗୁରୁମନ୍ତ୍ର ଦେଇଛନ୍ତି।ତେବେ ପୁଣି ୨ ଦିନ ଭିତରେ ଓଡ଼ିଶା ଆସୁଛନ୍ତି ୭ ଜଣ କେନ୍ଦ୍ରମନ୍ତ୍ରୀ। ଆଜି ୬ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସୁଛନ୍ତି। ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟ, ଅଶ୍ୱିନୀ ଚୌବେ, ଭୂପେନ୍ଦ୍ର ଯାଦବ ଓ ବିଶେଶ୍ୱର ଟୁଡୁ ଆଜି ଓଡିଶା ଆସୁଥିବା ବେଳେ ଆସନ୍ତାକାଲି ଜଣେ କେନ୍ଦ୍ର ମନ୍ତ୍ରୀ ନିଶିଥ ପାରମାଣିକ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆଜି ସକାଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅର୍ଜୁନ ମୁଣ୍ଡା ଯାଜପୁର ଯାଇ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ସଂଗ୍ରଠନ କଥା ବୁଝିବେ। ସେହିପରି ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଦଳୀୟ ସଂଗଠନର ସମୀକ୍ଷା କରିବେ। ଏହାସହ ୨୯ରେ ଆସୁଥିବା ବିଜେପି ସଭାପତି ଜେ.ପି ନଡ୍ଡାକୁ ଗସ୍ତା ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି କଟକରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦଳୀୟ ସଂଗଠନର ସମୀକ୍ଷା କରିବେ। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ, ଭୂପେନ୍ଦ୍ର ଯାଦବ ଓ ବିଶେଶ୍ୱର ଟୁଡୁଙ୍କର ଭୁବନେଶ୍ୱରରେ କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି। ସେହିପରି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ନିଶିଥ ପାରମାଣିକ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେ କେନ୍ଦ୍ରାପଡ଼ା ଯାଇ ଦଳୀୟ ସଂଗଠନ ସମ୍ପର୍କରେ ବୁଝିବେ ବୋଲି ସୂଚନା ମିଳିଛି।

ତେବେ ଏହି ଗସ୍ତ ନେଇ ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ କହିଛନ୍ତି, କେନ୍ଦ୍ରର ବିଭିନ୍ନ ବିଭାଗର ମନ୍ତ୍ରୀ ମାନେ଼ ଓଡ଼ିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ରରୁ ବିଭିନ୍ନ ଯୋଜନା ମାଧ୍ୟମରେ ଯେଉଁ ଅର୍ଥ ଆସିଛି ତାକୁ ସମୀକ୍ଷା କରିବେ। ଯେଉଁମାନେ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି ତାହାର ସମୀକ୍ଷା କରିବେ।

ତେବେ ୨ଦିନ ମଧ୍ୟରେ ୭ଜଣ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଗସ୍ତ ନେଇ ରାଜନୀତି ସରଗରମ ହୋଇ ଉଠିଛି। ଏଥରୁ ଜଣାପଡ଼ୁଛି ବିଜେପିର ସ୍ୱତନ୍ତ୍ର ଫୋକସ ଓଡ଼ିଶା ରହିଛି। ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ତାର ରଣନୀତି ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହାସହ ସଂଗଠନକୁ ସଦୃଢ଼ କରିବା ପାଇଁ ଦଳ ତାର ଆପ୍ରାଣ ଉଦ୍ୟମ ଚଲାଇଛି।

Related Posts