“ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ନୁହେଁ ପ୍ରଧାନମନ୍ତ୍ରୀ ବୋଲି କୁହନ୍ତୁ”: ଜିତନ ରାମ ମାଞ୍ଝି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବା ଲକ୍ଷ୍ୟ ନେଇ ଦୁଇ ଦିନିଆ ଦିଲ୍ଲୀ ଗସ୍ତ କରିଥିଲେ। ଏହି ଗସ୍ତ ସାରି ସେ ଏବେ ବିହାର ଫେରିଛନ୍ତି। ଏହି ଗସ୍ତ ଅବସରରେ ସେ ବିରୋଧୀ ଦଳର ଅନେକ ବଡ ନେତାଙ୍କ ସହ ସାକ୍ଷାତ କରି ଆଗାମୀ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ତେବେ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାନେଇ ଚର୍ଚ୍ଚାକୁ ନିତୀଶ ଅସ୍ୱୀକାର କରିଛନ୍ତି। ତେବେ ନୀତିଶ କୁମାରଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବ ନେଇ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ସଭାପତି ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି ଏକ ବଡ ବୟାନ ଦେଇଛନ୍ତି। ମାଞ୍ଝି ଏକ ଜନସଭାରେ ନୀତୀଶ କୁମାରଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରୂପେ ଘୋଷଣା କରିଛନ୍ତି। ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଜିତନ ରାମ ମାଞ୍ଝି କହିଛନ୍ତି ଯେ, ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଡାକିବା ଉଚିତ୍।

ତେବେ ବିହାରର ଗୟାଠାରେ ରବର ଡ୍ୟାମର ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଜିତନ ରାମ ମାଞ୍ଝିଙ୍କ ସମେତ ଅନେକ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ମଞ୍ଚରୁ ଜନସଭାକୁ ସମ୍ବୋଧିତ କରିବାବେଳେ ଜିତନ ରାମ ମାଞ୍ଝି କହିଥିଲେ ଯେ, ‘ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କୁହନ୍ତୁ ନାହିଁ, ପ୍ରଧାନମନ୍ତ୍ରୀ ବୋଲି କୁହନ୍ତୁ। ଏହା ବହୁତ ଭଲ ଲାଗୁଛି।’ ଜିତନ ରାମ ମାଞ୍ଝି ସେତିକିରେ ଅଟକି ନଥିଲେ, ସେ ଆହୁରି କହିଥିଲେ ଯେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ଓ ଏହାପରେ ତେଜସ୍ୱୀ ଯାଦବ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏନେଇ ସେ କହିଛନ୍ତି ଯେ ‘ତେଜସ୍ୱୀ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧିତ କରାଯିବା ଉଚିତ୍’। ତେବେ ଏହି ବିବୃତ୍ତିକୁ ନେଇ ଏବେ ଦିଲ୍ଲୀ ଠାରୁ ବିହାର ପର୍ଯ୍ୟନ୍ତ ଚାରିଆଡ଼େ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

Related Posts