ଫେବ୍ରୁଆରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ! କପି ଜଗିବ CCTV

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଫେବ୍ରୁଆରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ ପରୀକ୍ଷା । ଏନେଇ‌ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପରୀକ୍ଷା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । କେବଳ ଆନୁଷ୍ଠାନିକ ଭାବେ ଘୋଷଣାକୁ ଅପେକ୍ଷା । ମାଟ୍ରିକ ପରୀକ୍ଷା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ  । ମାଟ୍ରିକ୍ ପରୀକ୍ଷା ସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫ‌ିକେଟ୍ ପରୀକ୍ଷା ଏକକାଳୀନ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଚଳିତବର୍ଷ ନୂତନ ଢାଞ୍ଚ‌ାରେ ମାଟ୍ରିକ୍ ପରୀକ୍ଷା କରାଯାଉ ଥିବାରୁ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରାଯିବାକୁ ବୋର୍ଡ ପକ୍ଷରୁ ଯଥା ସମ୍ଭବ ସତର୍କତା ପାଇଁ ନକ୍‌ସା ତିଆରି ଚାଲିଛି । କପି ରୋକିବାକୁ ଓ ଶୃଙ୍ଖଳିତ ଭାବେ ପରୀକ୍ଷା କରିବାକୁ ପରୀକ୍ଷା କେନ୍ଦ୍ରରେ ସିସଟିଭି ଲାଗିବ । ଗତ ଥର କିଛି ସେଣ୍ଟରରେ ସିସିଟିଭି ଲାଗିଥିବା ବେଳେ ଏଥର ସମସ୍ତ ସେଣ୍ଟରରେ ସିସିଟିଭି ଲଗାଇବା ପାଇଁ ପ୍ରସ୍ତୁତି କରାଯାଉଛି । ଏହାସହ ଗତବର୍ଷ ବିବାଦୀୟ ହୋଇ ପଡ଼ିଥିବା ତଥା ପ୍ରଶ୍ନପ୍ରତ୍ର ଭାଇରାଲ ହୋଇଥିବା ସେଣ୍ଟରକୁ ସମୀକ୍ଷା କରାଯିବ । ଆବଶ୍ୟକ ପଡ଼ିଲେ ଉକ୍ତ ସେଣ୍ଟରଗୁଡ଼ିକୁ ବାଦ୍ ଦିଆଯାଇ ପରୀକ୍ଷା କରାଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

Related Posts