ଆମେରିକା ପରେ ଆଫଗାନିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କଲା ଆଇଏମଏଫ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏବେ ତାଲିବାନକୁ ବିଭିନ୍ନ ସଙ୍କଟର ସମ୍ମୁଖୀନ ହେବାକୁ ପଡୁଛି । ପ୍ରଥମେ ଆମେରିକା ଆର୍ଥିକ ପ୍ରତିବନ୍ଧକ ଲଗାଇବା ପରେ ଏବେ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ) ଆଫଗାନିସ୍ତାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ କରିବା ନେଇ ଘୋଷଣା କରିଛି । ଆଇଏମଏଫର ପ୍ରବକ୍ତା ଗେରି ରାଇସ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ରାଇସ ଟ୍ୱିଟରେ ଲେଖିଛନ୍ତି ଯେ, “ଯାହା ସବୁବେଳେ ହୋଇଥାଏ, ତାହା ଏବେ ହୋଇଛି , ଆଇଏମଏଫ ସବୁବେଳେ ଅର୍ନ୍ତରାଷ୍ଟ୍ରୀୟ ସମୁଦାୟର ବିଚାର ମୁତାବକ ପରିଚାଳିତ ହୋଇଥାଏ । ସମ୍ପ୍ରତି ଆଫଗାନିସ୍ତାନର ସରକାର ବାବଦରେ ଅର୍ନ୍ତରାଷ୍ଟ୍ରୀୟ ସମୁଦାୟର ସ୍ପଷ୍ଟତା କମ୍ ରହିଛି । ଫଳ ସ୍ୱରୂପ ଏହି ଦେଶକୁ ଏସଡିଆର କିମ୍ବା ଆଇଏମଏଫ ତରଫରୁ ପୂର୍ବରୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ ହେବାକୁ ଯାଉଛି ।

ଏହା ପୂର୍ବରୁ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ କହିଥିଲେ କି ତାଲିବାନ ଆଫଗାନିସ୍ତାନକୁ ଦଖଲ କରିଥିଲେ ବି ତାଲିବାନୀଙ୍କ ପାଖରେ ଆଫଗାନର ସମସ୍ତ ନଗଦ ଟଙ୍କା ଓ ସୁନା ଷ୍ଟକ ପହଂଚି ପାରି ନାହିଁ । ଅନ୍ୟପଟେ ଦ ଆଫଗାନିସ୍ତାନ ବ୍ୟାଙ୍କ (ଡିଏବି) ର ଗଭର୍ଣ୍ଣର ଅଜମଲ ଅହମଦୀ ଟ୍ୱିଟର ମାଧ୍ୟମରେ କହିଛନ୍ତି କି ବ୍ୟାଙ୍କ ପାଖରେ ୯ ଅରବ ଡଲାରର ଭଣ୍ଡାର ଥିଲା । ହେଲେ ଏହାର ଅଧିକାଂଶ ଭାଗ ବିଦେଶୀ ବ୍ୟାଙ୍କ ହାତରେ ରହିଛି । ଯାହା ପାଖରେ ତାଲିବାନ ପହଂଚିପାରିବ ନାହିଁ ।

ଆଇଏମଏଫ ଅନୁଯାୟୀ ତାଲିବାନ ଶାସନ କ୍ଷମତାକୁ ଫେରିବା ପରେ ଆଫଗାନିସ୍ତାନର ଭବିଷ୍ୟତ ବିଷୟରେ କିଛି କୁହାଯାଇପାରିବ ନାହିଁ।  ତେଣୁ ଜରୁରୀକାଳୀନ ବ୍ୟବହାର ପାଇଁ ରଖାଯାଇଥିବା ୩୪ ବିଲିୟନ ରୁ ଅଧିକ (୪୬୦ ନିୟୁତ ଡଲାର) ଆର୍ଥିକ କଟକଣା ଲଗାଇବା ପାଇଁ ସଂଗଠନ ନିଷ୍ପତ୍ତି ନେଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକା ସରକାରଙ୍କ ଚାପ ଯୋଗୁଁ ଆଇଏମ୍ଏଫ୍ ଏହି ନିଷ୍ପତ୍ତି ନେଇଛି।  ରାଷ୍ଟ୍ରପତି ଜୋ ବିଡେନଙ୍କ ସରକାର ଚାହୁଁନାହାଁନ୍ତି ଯେ ତାଲିବାନ କୌଣସି ପ୍ରକାରର ଆର୍ଥିକ ସହାୟତା ପାଉ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଙ୍ଗଳବାର ଦିନ ଆମେରିକା ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କର ୭୪.୨୬ ହଜାର କୋଟି ଟଙ୍କା ବିଦେଶୀ ରିଜର୍ଭ ଜବତ କରିଛି। ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କରେ ଉପସ୍ଥିତ ଥିବା ବିଦେଶୀ ଭଣ୍ଡାରକୁ ଜବତ କରିଛି ବୋଲି ଆମେରିକାର ଟ୍ରେଜେରୀ କାର୍ଯ୍ୟାଳୟ ସୂଚନା ଦେଇଛି।   

Related Posts