ମହିଳା ଅପରାଧ ହାରରେ ଓଡ଼ିଶା ଦେଶରେ ତୃତୀୟ; ଏନସିଆରବି ରିପୋର୍ଟରେ ସାମ୍ନାକୁ ଆସିଲା ତଥ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅପରାଧ ରେକର୍ଡସ ବ୍ୟୁରୋ ବା ଏନସିଆରବିର ରିପୋର୍ଟରେ ଏକ ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଓଡ଼ିଶାରେ ବୃଦ୍ଧି ପାଇଛି ମହିଳାଙ୍କ ବିରୋଧରେ ଅପରାଧ । ଜାତୀୟ ଏନସିଆରବି ରିପୋର୍ଟ ଅନୁସାରେ, ଗତବର୍ଷ ବା ୨୦୨୧ରେ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ୨୩ ପ୍ରତିଶତ ବଢ଼ିଛି । ଯେଉଁଥିରେ ନିର୍ଯାତନା ଓ ସାଇବର ଅପରାଧ ଆଦି ସାମିଲ ରହିଛି । ଏନସିଆରବି ରିପୋର୍ଟ ଅନୁସାରେ, ୨୦୨୧ରେ ରାଜ୍ୟରେ ଦୁଷ୍କର୍ମ ଓ ଅପହରଣରେ ବଡ଼ ବୃଦ୍ଧି ହୋଇଛି । ମହିଳା ଅପରାଧ ହାର ଦୃଷ୍ଟିରୁ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି । ରାଜ୍ୟରେ ମହିଳା ଜନସଂଖ୍ୟା ପ୍ରତି ୧ଲକ୍ଷରେ ୧୩୭.୮ ପ୍ରତିଶତକୁ ଅପରାଧ ବୃଦ୍ଧି ପାଇଛି । ଯାହାକି ଗତବର୍ଷ ତୁଳନାରେ ୨୩ ପ୍ରତିଶତ ଅଧିକ । ୨୦୨୦ରେ ଓଡ଼ିଶାରେ ଅପରାଧ ହାର ୧୧୨.୦୯ ପ୍ରତିଶତ ଥିଲା । ୨୦୨୧ରେ ଅପରାଧ ମାମଲାରେ ଆସାମରେ ସର୍ବାଧିକ ୧୬୮.୭ ଓ ଦିଲ୍ଲୀରେ ୧୪୭.୬ ପ୍ରତିଶତ ରହିଛି ।

ଆଇପିସି ଧାରା ଅନୁଯାୟୀ, ୨୦୨୧ରେ ରାଜ୍ୟରେ ମହିଳାଙ୍କ ବିରୋଧରେ ୩୧ହଜାର ୩୫୨ଟି ହିଂସା ମାମଲା ରୁଜୁ ହୋଇଛି । ୨୦୨୦ରେ ଏହା ୨୫ହଜାର ୪୮୯ ଥିବା ବେଳେ ୨୦୧୯ରେ ୨୩ହଜାର ୧୮୩ ଥିଲା । ସେହିପରି ୨୦୨୧ରେ ୧୪୫୬ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ରାଜ୍ୟରେ ପ୍ରତିଦିନ ୧୫ରୁ ଅଧିକ ଲୋକେ ଆତ୍ମହତ୍ୟା କରୁଥିବା ଏନସିଆରବିର ରିପୋର୍ଟରେ ଜଣାପଡ଼ିଛି । ଗତବର୍ଷ ରାଜ୍ୟରେ ୫ହଜାର ୬୫୧ ଜଣ ଆତ୍ମହତ୍ୟା କରିଛନ୍ତି ।

ଆଶ୍ଚର୍ଯ୍ୟକର କଥା ହେଉଛି ଆତ୍ମହତ୍ୟାରେ ପୁରୁଷଙ୍କ ସଂଖ୍ୟା ବହୁତ ଅଧିକ ରହିଛି । ଆତ୍ମହତ୍ୟାରେ ପୁରୁଷଙ୍କ ସଂଖ୍ୟା ୪୪୧୨ ଥିବା ବେଳେ ମହିଳାଙ୍କ ସଂଖ୍ୟା ୧୨୩୯ ରହିଛି । ରିପୋର୍ଟ କହୁଛି, ଆତ୍ମହତ୍ୟା ପଛର ମୁଖ୍ୟ କାରଣ ହେଉଛି ପାରିବାରିକ ସମସ୍ୟା ଓ ପ୍ରେମ ବ୍ୟାପାର । ଆତ୍ମହତ୍ୟାକାରୀଙ୍କ ମଧ୍ୟରେ ଅଛନ୍ତି ୮୩୪ ଜଣ ଛାତ୍ରଛାତ୍ରୀ । ସେହିପରି ୨୦୨୧ରେ ୫ହଜାର ୧୭୫ ଅପହରଣ, ୨୯୩ ଯୌତୁକ ମୃତ୍ୟୁ, ୪୬୫ ଯୌତୁକ ନିର୍ଯାତନା, ୯୪୩୧ ନିର୍ଯାତନା, ୧୫୨୦ ଯୌନ ନିର୍ଯାତନା ଆଦି ମାମଲା ରୁଜୁ ହୋଇଛି ।

Related Posts