
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଆର୍ଏଚ୍ଡିସି ଦୁର୍ନୀତି ମାମଲାରେ ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ୍ ସହ ଜରିମାନାରେ ଦଣ୍ଡିତ କରିଛନ୍ତି। ଭିଜିଲାନ୍ସ କୋର୍ଟଙ୍କ ଏହି ରାୟ ବିରୋଧରେ ଏବେ ମହମ୍ମଦ ମୋକିମ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଭିଜିଲାନ୍ସ କୋର୍ଟର ଏହି ଦଣ୍ଡକୁ ଖାରଜ ପାଇଁ ଅନୁରୋଧ କରି ଶ୍ରୀ ମୋକିମ୍ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ଶ୍ରୀ ମୋକିମ୍ଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏହି ମାମଲା ପରିଚାଳନା କରୁଛନ୍ତି।
ତେବେ ୨୦୧୩ର ସୁ୍ପ୍ରିମକୋର୍ଟଙ୍କ ରାୟ ଆଧାରରେ ୩ ବର୍ଷରୁ ଅଧିକ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବାରୁ ଶ୍ରୀ ମୋକିମ ନିଜର ବିଧାୟକ ପଦ ତତକ୍ଷଣାତ୍ ହରାଇଥିବା କୁହାଯାଉଛି। ଏବେ ଭିଜିଲାନ୍ସ କୋର୍ଟଙ୍କ ରାୟ ବିରୋଧରେ ମୋକିମ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାରୁ ହାଇକୋର୍ଟରେ ଏହି ମାମଲାର ଶୁଣାଣି ପରେ ଆଗକୁ ଏହି ଘଟଣା ସଂପର୍କିତ ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। ହାଇକୋର୍ଟରେ ଆଜିଠାରୁ ଦଶହରା ଅବକାଶ ଆରମ୍ଭ ହୋଇଥିବା ବେଳେ କୋର୍ଟ କାର୍ଯ୍ୟ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ମାମଲା ଶୁଣାଣି ବନ୍ଦ ରହିବ। ମାତ୍ର ହାଇକୋର୍ଟଙ୍କ କାର୍ଯ୍ୟାଳୟ ଖୋଲା ରହିଥିବାରୁ ମହମ୍ମଦ ମୋକିମ୍ଙ୍କ ପକ୍ଷରୁ ଏନେଇ ମାମଲା ରୁଜୁ ହୋଇଛି।