ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କ ଓଡ଼ିଶା ଲିଙ୍କ୍ , କଳିଙ୍ଗ ଷ୍ଟାଡିୟମରେ କରିଥିଲେ ଅଭ୍ୟାସ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଅଲିମ୍ପିକ୍ସ ଇତିହାସରେ ଭାରତ ଆଜି ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ଭାରତର ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ମଧ୍ୟ ରେକର୍ଡ ୭ରେ ପହଞ୍ଚି ଯାଇଛି। ଜାଭଲିନ ଥ୍ରୋରେ ସ୍ବର୍ଣ୍ଣ ଜିତି ଭାରତ ପାଇଁ ଗର୍ବ ଆଣିଥିବା ନୀରଜ ୧୨୫ ବର୍ଷର ସ୍ବପ୍ନକୁ ପୂରଣ କରିଛନ୍ତି। ତେବେ ସ୍ବର୍ଣ୍ଣ ପଦକ ବିଜେତା ନୀରଜଙ୍କର ଓଡ଼ିଶା ସହିତ ସମ୍ପର୍କ ରହିଛି। ହୁଏତ ଅନେକ ଏହି କଥାଟିକୁ ଜାଣି ନଥାଇପାରନ୍ତି। ନୀରଜଙ୍କୁ ସ୍ୱତନ୍ତ୍ର ପରିଚୟ ଦେବା ପଛରେ ରହିଛି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ।

କଳିଙ୍ଗ ଷ୍ଟାଡିୟମରେ ନୀରଜ ଅଭ୍ୟାସ କରିଛନ୍ତି, ଆଉ ଏବେ ଟୋକିଓରେ ଦମ୍ ଦେଖାଇଛନ୍ତି। ୨୦୨୦ ମସିହା ଡିସେମ୍ବରରେ ନୀରଜ କଳିଙ୍ଗ ଷ୍ଟାଡିୟମ ଆସିଥିଲେ । ସେହି ସମୟରେ ନୀରଜ ପଞ୍ଜାବର ପଟିଆଲାରେ ଥିବା ନେତାଜୀ ସୁଭାଷ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟ୍ସରେ ସାଥୀ ଖେଳାଳୀ ମାନଙ୍କ ସହିତ ଅଭ୍ୟାସ କରୁଥିଲେ। କିନ୍ତୁ ସେଠାରେ ପ୍ରବଳ ଥଣ୍ଡା ପଡୁଥିବା ଯୋଗୁଁ ଅଭ୍ୟାସ କରିବାରେ ବାଧା ଉପୁଜିଥିଲା । ଯେହେତୁ ଭୁବନେଶ୍ବରରେ ସେ ସମୟରେ ପଞ୍ଜାବ ତୁଳନାରେ ଅପେକ୍ଷାକୃତ କମ ଥଣ୍ଡା ଥିଲା ସେ କଳିଙ୍ଗ ଷ୍ଟାଡିୟମକୁ ଟ୍ରେନିଂ ପାଇଁ ଆସିଥିଲେ। ନୀରଜଙ୍କ ସହ ସେତେବେଳେ ଜାଭଲିନ୍‌ ଫିଙ୍ଗାଳି ଶିବପାଲ ସିଂହ, ଅନୁ ରାଣୀ, ରୋହିତ ଯାଦବ ଓ ରାଜେନ୍ଦର ସିଂହ ମଧ୍ୟ ଓଡିଶା ଆସିଥିଲେ ।

ପ୍ରତିଦିନ କଳିଙ୍ଗ ଷ୍ଟାଡିୟମ ଯାଇ ଟ୍ରେନିଂ ନେଇଥିଲେ । ସେତେବେଳେ ନୀରଜ କହିଥିଲେ, ‘ଅଲିମ୍ପିକ୍ସ ଯିବା ପାଇଁ ମୁଁ ଏଠାକୁ ଅଭ୍ୟାସ କରିବାକୁ ଆସିଛି । ୨୦୧୭ ଏସିଆନ ଚମ୍ପିୟାନସିପରେ ମୁଁ ଏଠି ସ୍ବର୍ଣ୍ଣ ପଦକ ଜିତିଥିଲି। ଏହି ସହର ସହ ଅନେକ ସ୍ମୃତି ମୋ ସହ ଜଡିତ ହୋଇ ରହିଛି । ଅଲିମ୍ପିକ୍ସରେ ସଫଳ ହେବା ପାଇଁ ଯଥାସାଧ୍ୟ ଚେଷ୍ଟା କରିବି’ । ସେଦିନର ଏହି ସ୍ବପ୍ନ ଆଜି ସାକାର ହୋଇଛି। ସୁଟର ଅଭିନବ ବିନ୍ଦ୍ରାଙ୍କ ପରେ ବ୍ୟକ୍ତିଗତ ପ୍ରତିଯାେଗିତାରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ଜିତି ରେକର୍ଡ କରିଛନ୍ତି।

ପ୍ରଥମ ପ୍ରୟାସରେ ନୀରଜ ୮୭.୦୩ ମିଟର ଥ୍ରୋ କରି ଥିଲେ। ଏହା ପରେ ଦ୍ଵିତୀୟ ପ୍ରୟାସରେ ୮୭.୫୮ ମିଟର ଫିଙ୍ଗିଥିଲେ ଏବଂ ତୃତୀୟ ପ୍ରୟାସରେ ୭୬.୭୯ ମିଟର ଫିଙ୍ଗିଥିଲେ। ନୀରଜଙ୍କ ୮୭.୫୮ ମିଟର ଫାଇନାଲରେ ଶୀର୍ଷରେ ଥିଲା। ପ୍ରତିପକ୍ଷ ଖେଳାଳିଙ୍କୁ ସେ ବହୁ ପଛରେ ପକାଇ ଦେଇଥିଲେ। ଏଥିସହ ଟୋକିଓ ଅଲିମ୍ପିକ୍ସରେ ଭାରତ ୭ଟି ପଦକ ଜିତିବାରେ ସଫଳ ହୋଇଛି। ବର୍ତ୍ତମାନ ସୁଦ୍ଧା ଭାରତ ଖାତାରେ ଗୋଟିଏ ସ୍ଵର୍ଣ୍ଣ, ୨ ରୌପ୍ୟ ଓ ୪ଟି କାଂସ୍ୟ ପଦକ ଆସିଛି। ସୂଚନା ଥାଉକି ଲଣ୍ଡନ ଅଲିମ୍ପିକ୍ସରେ ଭାରତ ୨ଟି ରୌପ୍ୟ ଓ ଚାରି କାଂସ୍ୟ ଜିତିଥିଲା।

Related Posts