(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆମେରିକା ସୈନ୍ୟ ଆଫଗାନିସ୍ଥାନ ଛାଡ଼ିବା ପରେ ସ୍ଥିତି ଦିନକୁ ଦିନ ଅଧିକ ବିଗିଡିବାରେ ଲାଗିଛି। ସ୍ଥିତି ସଙ୍ଗୀନ ହେଉଥିବା ଦେଖି ବ୍ରିଟେନ ତାହାର ନାଗରିକଙ୍କୁ ତୁରନ୍ତ ଆଫଗାନିସ୍ତାନ ଛାଡି ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି। ଆଫଗାନିସ୍ତାନ ସୈନ୍ୟ ଓ ତାଲିବାନ ମଧ୍ୟରେ ଜୋରଦାର ସଙ୍ଘର୍ଷ ଚାଲିଥିବା ବେଳେ ବୈଦେଶିକ, ରାଜ୍ୟଗୋଷ୍ଠୀ ଓ ଉନ୍ନୟନ କାର୍ଯ୍ୟାଳୟଗୁଡିକ ଶୁକ୍ରବାର ଆଫଗାନିସ୍ତାନ ନଆସିବାକୁ ସମସ୍ତଙ୍କୁ ସତର୍କ ସୂଚନା ଜାରି କରିଛି।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ ସମସ୍ତ ବ୍ରିଟିଶ ନାଗରିକ ତୁରନ୍ତ ଆଫଗାନିସ୍ତାନ ଛାଡି ସ୍ୱଦେଶ ଫେରିଆସିବା ପାଇଁ କୁହାଯାଇଛି। ଯଦି କୌଣସି ନାଗରିକ ସେଠାରେ ରହିଥାଆନ୍ତି ତେବେ ଚାର୍ଟାଡ ବିମାନ ଯୋଗେ ୟୁକେ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ବ୍ରିଟେନ ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ସ୍ଥାନାନ୍ତରଣ ପର୍ଯ୍ୟନ୍ତ ଅପେକ୍ଷା ନକରି ନିଜ ବ୍ୟବସ୍ଥାରେ ସେଠାରୁ ପଳାଇଆସିବାକୁ କୁହାଯାଇଛି।
ବିଦେଶୀ ସେନା ଆଫଗାନିସ୍ଥାନ ଛିଡା ଯାଉଥିବା ବେଳେ ତାଲିବାନ ସେନା ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳକୁ ନିଜ ଦଖଲକୁ ନେଇ ସାରିଛି। ଏବଂ ସରକାରୀ ସୈନ୍ୟଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି। ତାଲିବାନ ବର୍ତ୍ତମାନ ଆଫଗାନିସ୍ତାନର ଗ୍ରାମାଞ୍ଚଳର ବହୁ ଅଂଶକୁ ନିଜର ନିୟନ୍ତ୍ରଣ କରିଛି ଏବଂ ଦେଶର ପଶ୍ଚିମରେ ଇରାନ ସୀମାନ୍ତକୁ ଲାଗିଥିବା ହେରାତ, ଲସ୍କର ଗାହ୍ ଏବଂ କାନ୍ଦାହାର ଆଦି ସହରରେ ତାଲିବାନ ଓ ସରକାରୀ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି।
ଶୁକ୍ରବାର ଦିନ, ଇସଲାମବାଦୀ ଆତଙ୍କବାଦୀମାନେ, ମେ ମାସରୁ ଆଧିପତ୍ୟ ବିସ୍ତାର ଆରମ୍ଭ କରିଥିବା ତାଲିବାନ ଆତଙ୍କିମାନେ ଶୁକ୍ରବାର ପ୍ରଥମ କରି ଏକ ପ୍ରାଦେଶିକ ରାଜଧାନୀ ସହର ନିଜ ଅକ୍ତିଆରକୁ ନେଇଛନ୍ତି। ସେମାନେ ଦକ୍ଷିଣ ପଶ୍ଚିମକୁ ଅବସ୍ଥିତ ସହର ନିମ୍ରୋଜ ବିନା ସଂଘର୍ଷରେ ଦଖଲ କରିଥିବା ନ୍ୟୁଜ୍ ଏଜେନ୍ସି AFP ସୂଚନା ଦେଇଛି।