ଟୋକିଓ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରାଙ୍କ ଜାଭେଲିନ୍ ଓ ପିଭି ସିନ୍ଧୁଙ୍କ ରାକେଟ୍ ନିଲାମ କରିବେ ପ୍ରଧାନମନ୍ତ୍ରୀ ମୋଦୀ !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ ଆଥଲେଟମାନଙ୍କୁ ଭେଟିଛନ୍ତି । କିଛି ଦିନ ପୂର୍ବରୁ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ସ୍ୱର୍ଣ୍ଣ ପଦକ ସମେତ ଭାରତ ମୋଟ ୭ଟି ପଦକ ଜିତିଛି ।

ଅଲିମ୍ପିକ୍ସରେ ଏହା ହେଉଛି ଭାରତର ସର୍ବୋତ୍ତମ ପ୍ରଦର୍ଶନ । ଏହାପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ୬ଟି ପଦକ ଜିତିଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରଜ ଚୋପ୍ରା, ପିଭି ସିନ୍ଧୁ ଏବଂ ଲୋଭଲିନା ବୋର୍ଗୋହେନଙ୍କୁ ସେମାନଙ୍କ କ୍ରୀଡ଼ା ଉପକରଣ ନିଲାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଯାହା ଦ୍ବାରା ପାଣ୍ଠି ସଂଗ୍ରହ କରାଯାଇ ଭଲ କାମରେ ବ୍ୟବହାର କରାଯାଇପାରିବ।

ପ୍ରଧାନମନ୍ତ୍ରୀ ନୀରଜ ଚୋପ୍ରାଙ୍କୁ ପଚାରିଥିଲେ ଯେ , “ତୁମେ ତୁମର ଦସ୍ତଖତ ଏଠାରେ କରିଛ। ମୁଁ ଏହାକୁ ନିଲାମ କରିବି, ତୁମର କିଛି ଅସୁବିଧା ନାହିଁ ତ ? ତେବେ ପିଏମଙ୍କ ଏହି ପ୍ରଶ୍ନକୁ ନେଇ ଚୋପ୍ରା ଟିକିଏ ହସିଥିଲେ ଏବଂ ଟୋକିଓ ଅଲିମ୍ପିକ୍ସ ସମୟରେ ଖେଳିଥିବା ଜାଭଲିନ୍ ତାଙ୍କୁ ଦେଲେ ।

ସେହିପରି ବ୍ୟାଡ୍ ମିଣ୍ଟନ୍ ତାରକା ପିଭି ସିନ୍ଧୁ ତାଙ୍କ ରାକେଟ୍ ଏବଂ ଲୋଭଲିନା ବୋର୍ଗୋହେନ୍ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଗ୍ଲୋଭସ୍ ପ୍ରଦାନ କରିଥିଲେ।  ଲୋଭଲିନା ଯେତେବେଳ ମୋଦୀଙ୍କୁ ବକ୍ସିଂ ଗ୍ଲୋଭସ୍ ଦେଇଥିଲେ, ସେ ସଙ୍ଗେ ସଙ୍ଗେ କହିଥିଲେ ଯେ ଯଦି ମୁଁ ଏହାକୁ ପିନ୍ଧିବି, ତେବେ ରାଜନୀତିରେ ଲୋକମାନେ କହିବେ ଯେ ମୋଦୀ କିଛି ଗଡବଡ କରିବାକୁ ଯାଉଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ତାଙ୍କର ପ୍ରିୟ ଚୁରମା ଖାଇବାକୁ ଦେଇଥିଲେ । ସେହିଭଳି ମହିଳା ବ୍ୟାଡମିଣ୍ଟନ ଇଭେଣ୍ଟରେ ପଦକ ଜିତିଥିବା ପିଭି ସିନ୍ଧୁଙ୍କୁ ଏକ ଆଇସ୍କ୍ରିମ୍ ବି ଖାଇବାକୁ ଦେଇଥିଲେ ।

ଏହା ପରେ ପିଏମ ମୋଦୀ ପୁଣିଥରେ ସିନ୍ଧୁଙ୍କ ଦକ୍ଷିଣ କୋରିଆ ପ୍ରଶିକ୍ଷକ ପାର୍କ ତା-ଗୀତଙ୍କୁ ଅଯୋଧ୍ୟା ପରିଦର୍ଶନ କରିବାକୁ କହିଥିଲେ। ମୋଦୀ ପଚାରିଥିଲେ, ତୁମେ ଅଯୋଧ୍ୟାକୁ ଯାଇଛ କି ? ଅଯୋଧ୍ୟାର ଏକ କାର୍ଯ୍ୟକ୍ରମରେ ଆପଣଙ୍କ ଦେଶର ରାଷ୍ଟ୍ରପତିଙ୍କ ପତ୍ନୀ ଏକ ବିଶେଷ ଅତିଥି ଭାବରେ ଆସିଥିଲେ। ତୁମେ ଅଯୋଧ୍ୟା ବୁଲି ଆସିବା ଉଚିତ ଏବଂ ତାହାର ଇତିହାସ ବିଷୟରେ ବି ଜାଣିବା ଉଚିତ୍। “

Related Posts