ସ୍ୱାଧୀନତା ଦିବସ ଅବସରରେ ଶ୍ରୀଅରବିନ୍ଦଙ୍କର ଜୀବନାଦର୍ଶ ଉପରେ ଆଧାରିତ ୭୫ଟି ଜେଲରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ମହର୍ଷି ଶ୍ରୀଅରବିନ୍ଦଙ୍କର ୧୫ଠତମ ଜନ୍ମ ଦିବସ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରିବ ଦେଶ । ଏନେଇ ସମଗ୍ର ଦେଶରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ବେଳେ, ଏହି ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀଅରବିନ୍ଦଙ୍କର ଜୀବନାଦର୍ଶ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ୭୫ଟି ଜେଲରେ ଆୟୋଜନ କରାଯିବ ।

ଅଗଷ୍ଟ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ଦେଶର ଗୁରୁତ୍ୱପୂର୍ଣ୍ଣ ଜେଲଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଶ୍ରୀଅରବିନ୍ଦଙ୍କ ସ୍ମରଣରେ ହେଉଛି ।
ଏହି କାର୍ଯ୍ୟକ୍ରମରେ ଯୋଗ ଏବଂ ଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇ ଶ୍ରୀଅରବିନ୍ଦଙ୍କ ଜୀବନୀ ଓ ଆଦର୍ଶ ଆଧାରରେ ଜେଲର ଅନ୍ତେବାସୀମାନଙ୍କ ଜୀବନରେ ପରିବର୍ତ୍ତନ ଅଣାଯିବା ଉଦ୍ଦେଶ୍ୟ ରଖାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମ ସମ୍ପର୍କରେ କହିଛନ୍ତି ଯେ ଜେଲରେ ବନ୍ଦୀ ଜୀବନ ବିତାଉଥିବା ଲୋକଙ୍କର ଜୀବନରେ ପରିବର୍ତ୍ତନ ଆବଶ୍ୟକ । ଏହି ପରିବର୍ତ୍ତନ ଆତ୍ମଚିନ୍ତନ ଓ ଅନୁଭବ ମାଧ୍ୟମରେ ଘଟିପାରିବ । ସେମାନଙ୍କ ଜୀବନରେ ଶ୍ରୀଅରବିନ୍ଦଙ୍କ ଆଦର୍ଶ ଏକ ନୂଆ ଅନୁଭବ ଓ ପରିବର୍ତ୍ତନ ଆଣି ନୂଆ ଜୀବନ ଆରମ୍ଭ ପାଇଁ ମାର୍ଗଦର୍ଶନ କରିବ ।

ଦେଶର ଆଧ୍ୟାତ୍ମିକ ଗୁରୁମାନଙ୍କ ସହଯୋଗରେ ସଂସ୍କୃତି ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମ ସମ୍ପାଦନ କରିବ। ଦେଶର ସ୍ୱାଧୀନତା ସଂଗ୍ରାମ ସହିତ ଜଡ଼ିତ ଦେଶର ୭୫ଟି ଜେଲକୁ ଏହି କାର୍ଯ୍ୟକ୍ରମ ପାଇଁ ଚିହ୍ନଟ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ରାମକୃଷ୍ଣ ମିସନ, ପତଞ୍ଜଳୀ, ଆର୍ଟ ଅଫ ଲିଭିଙ୍ଗ, ଈଶା ଫାଉଣ୍ଡେସନ ଏବଂ ସତସଙ୍ଗ ଫାଉଣ୍ଡେସନ ସହିତ ଯୋଗାଯୋଗ କରାଯାଇଛି । ଦେଶର ୨୩ଟି ରାଜ୍ୟରେ ଯୋଗ, ଧ୍ୟାନ ଏବଂ ଶ୍ରୀଅରବିନ୍ଦଙ୍କ ନୈତକି ବାଣୀ ଜେଲର ଅନ୍ତେବାସୀମାନଙ୍କୁ ଶିକ୍ଷା ଦିଆଯିବ ।

Related Posts