ଜନ୍ମାଷ୍ଟମୀ ଅବସରରେ ବାରିମୂଳର ଆଶ୍ରମକୁ ଧସେଇ ପଶିଲେ ସାରଥି ଭକ୍ତ, ଆସ୍ଥାନରେ ଫଟୋ ରଖି କଲେ ପୂଜାର୍ଚ୍ଚନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳର ବହୁଚର୍ଚ୍ଚିତ ସାରଥି ଆଶ୍ରମକୁ ତାଙ୍କ ଭକ୍ତ, ଅନୁଗତ, ସମର୍ଥକମାନେ ଶୁକ୍ରବାର ଜବରଦସ୍ତ କବ୍‌ଜା କରି ନେଇଛନ୍ତି । ଭକ୍ତ, ଅନୁଗତମାନେ ଆଶ୍ରମରେ ପଶି ଆତ୍ମଘୋଷିତ ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ଆସ୍ଥାନରେ ରଖି ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଅବସରରେ ପୂଜାର୍ଚ୍ଚନା କରିଛନ୍ତି । ଭୋଗ ଅର୍ପଣ କରି ସମର୍ଥକଙ୍କ ମଧ୍ୟରେ ବାଣ୍ଟି ଖାଇଛନ୍ତି ।

ଅଦାଲତଙ୍କ ପକ୍ଷରୁ ଆଶ୍ରମରେ ପୂଜାର୍ଚ୍ଚନାକୁ ବାରଣ କରାଯାଇଛି । ଏଥିସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଶ୍ରମ ସମ୍ପତ୍ତିକୁ ଦଖଲକୁ ନେଇ ସାରିଥିବାରୁ ସାଧାରଣ ଲୋକଙ୍କ ପାଇଁ ଆଶ୍ରମ ଭିତରକୁ ପ୍ରବେଶ ଅନୁମତି ବି ନାହିଁ । ଏହା ସତ୍ତେ୍ୱ ଆଶ୍ରମ ଭିତରକୁ ୪୦ରୁ ୫୦ଜଣ ସାରଥି ଭକ୍ତ ଓ ସମର୍ଥକ କେମିତି ପ୍ରବେଶ କଲେ, ସେଠି ସାରଥିଙ୍କ ଫଟୋ ରଖି କେମିତି ପୂଜା କଲେ ତାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଶୁକ୍ରବାର ନନ୍ଦୋତ୍ସବ ଥିବାରୁ ଆଶ୍ରମର ଗ୍ରାମ ପାଖକୁ ଲାଗିଥିବା ଫାଟକ ଦେଇ ସାରଥିଙ୍କର କେତେଜଣ ଭକ୍ତ, ସମର୍ଥକ ହଠାତ୍‌ ସଂଘବଦ୍ଧ ହୋଇ ଭିତରକୁ ପଶିଥିଲେ । ପରେ ଭିତର ପଟୁ ଫାଟକ କିଳିଦେଇ ଆଶ୍ରମ ପରିସରରେ ଥିବା ମନ୍ଦିର ମଧ୍ୟରେ ସାରଥିଙ୍କ ପୂଜାର୍ଚ୍ଚନା କରିଥିଲେ । ଏପରିକି ପୂଜାର ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି । ଏକଥା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଏହାର ଘୋର ବିରୋଧ କରିଥିଲେ । ଏନେଇ ପ୍ରଶାସନ କୌଣସି ପଦକ୍ଷେପ ନନେଲେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଏନେଇ କେନ୍ଦ୍ରାପଡ଼ା ସଦର ଥାନା ଇନ୍ସପେକ୍ଟର ପବିତ୍ର ମହାରଣା କହିଛନ୍ତି, ଥାନାରେ ଏ ସମ୍ପର୍କରେ କୌଣସି ଅଭିଯୋଗ ହୋଇନାହିଁ । ସେ ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି, ଏବେ ଆଇନତଃ ଯାହା ଠିକ୍‌ ସେନେଇ ପଦକ୍ଷେପ ନିଆଯିବ ।

ସୂଚନାଥାଉକି, ୨୦୧୯ ଜୁଲାଇ ୨୭ରେ ଇଡି ଆଶ୍ରମର ସମ୍ପତ୍ତିକୁ ଜବତ କରି ନିଜ ହେପାଜତକୁ ନେଇଥିଲା । ସେବେଠାରୁ ଆଶ୍ରମ ଭିତରକୁ ପ୍ରବେଶ ଓ କୌଣସି ପ୍ରକାର ପୂଜାର୍ଚ୍ଚନା ବାରଣ ହୋଇଛି ।

Related Posts