ଅଭିନେତା ସୋନୁ ସୁଦ୍‌ଙ୍କ ଘରେ ତୃତୀୟ ଦିନରେ ଆୟକର ବିଭାଗର ସର୍ଭେ ଜାରି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଅଭିନେତା ସୋନୁ ସୁଦ୍‌ଙ୍କ ଘର ଓ କାର୍ଯ୍ୟାଳୟ ସହିତ ୬ଟି ସ୍ଥାନରେ ଲଗାତାର ତୃତୀୟ ଦିନରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ସର୍ଭେ କରାଯାଉଛି।  ସୋନୁ ସୁଦଙ୍କ ଆୟ ଓ ଖର୍ଚ୍ଚ ବାବଦରେ ଆୟକର ବିଭାଗ ଯାଞ୍ଚ କରୁଥିବା କୁହାଯାଉଛି । ମିଳୁଥିବା ସୂଚନା ମୁତାବକ, ଆୟକରରେ ହେରଫେର ହୋଇଥିବା ଜଣାପଡ଼ିଛି । ଏପରିକି ଆଇଟି ଟିମ୍ ସୋନୁ ସୁଦ ଚ୍ୟାରିଟି ଫାଉଣ୍ଡେସନର ଆକାଉଣ୍ଟ ମଧ୍ୟ ଯାଞ୍ଚ  କରିପାରେ ବୋଲି କୁହାଯାଉଛି। ଏନେଇ ଆୟକର ବିଭାଗ ପକ୍ଷରୁ ଖୁବଶୀଘ୍ର ସ୍ପଷ୍ଟ କରାଯିବ । ଏହାପୂର୍ବରୁ ବୁଧବାର ଓ ଗୁରୁବାର ମଧ୍ୟ ସୋନୁଙ୍କ ଅଫିସ ଓ ଘରେ ସର୍ଭେ କରିଥିଲା ଆୟକର ବିଭାଗ । ସୋନୁଙ୍କ ମୁମ୍ବାଇସ୍ଥିତ ଘର ସହ ଅନ୍ୟ ୫ଟି ଘର ଓ କାର୍ଯ୍ୟାଳୟରେ ଆୟକର ବିଭାଗ ସର୍ଭେ କରିଥିଲା। ଅଭିନେତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ହେରଫେର ଅଭିଯୋଗ ଆଧାରରେ ଅୟକର ବିଭାଗ ଟିମ ଏହି ସର୍ଭେ କରିଥିବା ସୂଚନା ମିଳିଛି ।

ଏହି କାର୍ଯ୍ୟାନୁଷ୍ଠାନରେ ଶିବସେନାର ପାର୍ଟି ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରାଯାଇଛି। ସୋନୁ ସୁଦ୍ ବିରୋଧୀ ଦଳର ସରକାରଙ୍କ ସହ ଯୋଗ ଦେଇଥିବାରୁ ତାଙ୍କ ଉପରେ ରାଗ ସୁଝାଇବା ପାଇଁ  ଏଭଳି କରାଯାଇଛି ବୋଲି ଅଭିଯୋଗ କରାଯାଇଛି। ସୋନୁ ସୁଦ୍‌ଙ୍କୁ ଦିନେ ପ୍ରଶଂସାରେ ପୋତି ପକାଉଥିଲେ କେନ୍ଦ୍ର। କିନ୍ତୁ ସେ ଦିଲ୍ଲୀରେ କେଜ୍ରିଓ୍ବାଲ ସରକାରଙ୍କ ଶୈକ୍ଷଣିକ କାର୍ଯ୍ୟକ୍ରମର ‘ବ୍ରାଣ୍ଡ ଆମ୍ବାସଡର’ ଭାବରେ କାମ କରିବାର ନିଷ୍ପତ୍ତି ନେବାପରେ ଇନକମ ଟ୍ୟାକ୍ସ ବିଭାଗର ଚଢାଉ କରାଯାଇଛି ବୋଲି ‘ସାମନା’ରେ କୁହାଯାଇଛି। 

ଏହା ପୂର୍ବରୁ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୋନୁ ସୁଦଙ୍କୁ ସମର୍ଥନ କରି କେଜ୍ରିୱାଲ କହିଥିଲେ , “ସତ୍ୟ ପଥରେ ଚାଲିବାକୁ ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ହେଲେ ଶେଷରେ ସର୍ବଦା ସତ୍ୟର ହିଁ ଜୟ ହୋଇଥାଏ ।  ସତ୍ୟ ପଥରେ ଚାଲିବାକୁ ହେଲେ ସବୁବେଳେ ବିପଦର ସାମ୍ନା କରିବାକୁ ପଡେ । ସୋନୁଙ୍କ ସାଥିରେ ଭାରତର ଲକ୍ଷ ଲକ୍ଷ ଗରିବ  ପରିବାରଙ୍କ ଆଶୀର୍ବାଦ ରହିଛି, ଯେଉଁମାନଙ୍କ କଠିନ ସମୟରେ ସୋନୁ ତାଙ୍କ ସହିତ ରହିଥିଲେ ।” 

Related Posts