
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଲ୍ପିଜି’ ଦର ସିଲିଣ୍ଡର୍ପିଛା ୫୦ ଟଙ୍କା ବୃଦ୍ଧି ପାଇଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ରାହୁଲ୍ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି, କେବଳ କଂଗ୍ରେସ ହିଁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ଭାରତୀୟ ପରିବାରଙ୍କ ମଙ୍ଗଳ ପାଇଁ ନୀତି ନିର୍ଦ୍ଧାରଣ କରିପାରେ। ଏହା ହେଉଛି ଆମ ଶାସନର ମୂଳଦୁଆ। ଟୁଇଟର୍ ପୋଷ୍ଟରେ କଂଗ୍ରେସ ନେତା ରାହୁଲ୍ ‘ସେବେ ଓ ଏବେ’ର ତୁଳନାତ୍ମକ ଉପସ୍ଥାପନା ଦେବାକୁ ଉଦ୍ୟମ କରିଛନ୍ତି। ଏଥିରେ ସେ ‘ଏଲ୍ପିଜି’ ବ୍ୟାପାରରେ ପୂର୍ବତନ ‘ଉପା’ ସରକାର ଓ ସାମ୍ପ୍ରତିକ ‘ବିଜେପି’ ସରକାରଙ୍କର ପ୍ରଚେଷ୍ଟା ଦର୍ଶାଇଛନ୍ତି। ୨୦୧୪ ମେ’ରେ ଟ. ୪୧୦/- ଥିବା ରନ୍ଧନ ଗ୍ୟାସ୍ର ଦର କିଭଳି ଟ.୫୮୫.୫୦ ବୃଦ୍ଧି ପାଇ ଏବେ ୨୦୨୨ ମେ’ରେ ଟ. ୯୯୯/-ରେ ପହଞ୍ଚିଛି ତାହା ରାହୁଲ୍ ସେୟାର୍ କରିଛନ୍ତି।
ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ପୂର୍ବତନ କଂଗ୍ରେସ ସରକାର ଟ. ୮୨୭/- ରିହାତି ଦେଉଥିବା ବେଳେ ଏବକାର ସରକାର ଆଦୌ ରିହାତି ଦେଉନାହାନ୍ତି। ସେତେବେଳେ ୨ଟି ସିଲିଣ୍ଡର୍ର ମୂଲ୍ୟ ଯାହା ଏବେ ୧ଟି ସିଲିଣ୍ଡର୍ର ମୂଲ୍ୟ ତାହା। ଶନିବାର ଦିନ ରାହୁଲ୍ଙ୍କ ଦଳର ସହଯୋଗୀ ରଣଦୀପ ସୂର୍ୟେୱାଲା ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ, ରିହାତି ଦରରେ ମିଳୁଥିବା ରନ୍ଧନ ଗ୍ୟାସ୍ର ଦର ଅଢ଼େଇଗୁଣ ବୃଦ୍ଧି ପାଇଛି। ଫଳରେ ରନ୍ଧନ ଗ୍ୟାସ୍ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ପରିବାରଙ୍କ ପାଇଁ ଅପହଞ୍ଚ ହୋଇଯାଇଛି। ଏଥିସହ ସେ ଦାବି କରିଛନ୍ତି ଯେ, ୨୦୧୪ରେ ଯେଉଁ ଆଧାରରେ ରନ୍ଧନ ଗ୍ୟାସ୍ ମିଳୁଥିଲା ଏବେ ମଧ୍ୟ ସରକାର ସେମିତି ଯୋଗାଇ ଦେବାପାଇଁ ବ୍ୟବସ୍ଥା କରନ୍ତୁ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।