କେବଳ କଂଗ୍ରେସ ହିଁ ପୂର୍ବ ଗୌରବ ଫେରାଇ ଆଣିବ: ଚେଲା କୁମାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ସାରା ରାଜ୍ୟର ରାଜେନୌତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ସେପଟେ ନିର୍ବାଚନରେ ବାଜି ମାରିବା ପାଇଁ ସମସ୍ତ ରାଜନୈତିକ ଦଳମାନେ ବ୍ରଜରାଜନଗରରେ ଜୋରଦାର ପ୍ରଚାର କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଦଳୀୟ ପ୍ରାର୍ଥୀ କିଶୋର ପ‌ଟେଲଙ୍କ ସପକ୍ଷରେ ପ୍ରଚାର କରିବାପାଇଁ ଆଜି କଂଗ୍ରେସ ନେତା ଚେଲା କୁମାର ଏଠାରେ ପହଞ୍ଚିଥିଲେ। ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ରଖି କହିଥିଲେ, ବ୍ରଜରାଜନଗର ବିଧାନସଭା କ୍ଷେତ୍ର ବିଜେଡି ସରକାର ଦ୍ୱାରା ଉପେକ୍ଷିତ ହୋଇଆସିଛି। କେବଳ କଂଗ୍ରେସ ହିଁ ଏହାର ଗୌରବ ଫେରାଇ ଆଣିପାରିବ। ବ୍ରଜରାଜନଗରରେ ପ୍ରତିଷ୍ଠିତ ଓରିଏଣ୍ଟ କାଗଜକଳ ଯୋଗୁ ହଜାର ହଜାର ଲୋକ ନିଯୁକ୍ତି ପାଇଥିଲେ। ୨୨ ବର୍ଷ ହେବ ଏହା ବନ୍ଦ ପଡ଼ିଛି।

ହେଲେ, ରାଜ୍ୟ ସରକାର ଏହାକୁ ଚାଲୁ କରିବା ନେଇ ଆନ୍ତରିକତା ଦେଖାଉ ନାହାନ୍ତି। ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲଙ୍କୁ ବିଜୟୀ କରିବାକୁ ଚେଲା କୁମାର ନିବେଦନ କରିଥିଲେ। ସେଠାରେ ଉପସ୍ଥିତ ଥିବା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, କଂଗ୍ରେସର ଉତ୍‌ଥାନର ନୁହେଁ, ଏହା ଓଡ଼ିଶାର ବିକାଶର ପ୍ରଶ୍ନ। ୨୨ ବର୍ଷ ଧରି ଗୋଟିଏ ସରକାର ଶାସନ କଲାଣି, ରାଜ୍ୟର ପ୍ରଗତି ପାଇଁ କ’ଣ ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ। କେବଳ ନିର୍ବାଚନ ଆଗରୁ କିଛି ଯୋଜନା କରି ଲୋକଙ୍କୁ ଟଙ୍କା ଦେଇ ନିର୍ବାଚନ ଜିତୁଛନ୍ତି। ଯେତେଦିନ ପର‌୍ୟ୍ୟନ୍ତ ଓଡ଼ିଶାର ଜନସାଧାରଣ ସ୍ୱାଭିମାନୀ ହୋଇନାହାନ୍ତି, ସେତେଦିନ ପର‌୍ୟ୍ୟନ୍ତ ରାଜ୍ୟରୁ ଗରିବୀ ହଟିବ ନାହିଁ ଓ ସୁଶାସନ ମିଳିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

Related Posts