ଏଏସ୍ଆଇର ଅଣସ୍ୱୀକୃତିପ୍ରାପ୍ତ ନିର୍ମାଣ ତାଲିକାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଏସ୍ଆଇର ଅଣସ୍ୱୀକୃତିପ୍ରାପ୍ତ ନିର୍ମାଣ ତାଲିକାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ସେପଟେ ଏଏସ୍ଆଇ ପକ୍ଷରୁ ଏହି ନିର୍ମାଣ କାର‌୍ୟ୍ୟ ନିମନ୍ତେ କୌଣସି ପ୍ରକାର ଅନୁମତି ଦିଆଯାଇ ନ ଥିବା ବେଳେ ଏହାର ବାରଣକୁ ବି ସରକାରଙ୍କର ଖାତିର ନାହିଁ। ଏଏସ୍‌ଆଇ ତାଗିଦକୁ ବେଖାତିର କରି ସରକାର ନିର୍ମାଣ କାର‌୍ୟ୍ୟ କରି ଚାଲିଥିବା ବେଳେ ଏଏସ୍ଆଇ କାହିଁକି କୌଣସି କାର‌୍ୟ୍ୟାନୁଷ୍ଠାନ ନେଉନି ବୋଲି ଉଠିଛି ପ୍ରଶ୍ନ। ଅନ୍ୟପଟେ ଯେଉଁ ସବୁ ଐତିହ୍ୟପୂର୍ଣ୍ଣ କୀର୍ତ୍ତିରାଜିରେ ଏଏସ୍ଆଇର ସ୍ୱୀକୃତି ବିନା ନିର୍ମାଣ କାମ କରାଯାଉଛି, ତା’ର ଏକ ତାଲିକା ପ୍ରସ୍ତୁତ କରିଛି ଏଏସ୍ଆଇ। ଏବେ ଏଇଭଳି ଅଣସ୍ୱୀକୃତିପ୍ରାପ୍ତ ନିର୍ମାଣ ତାଲିକାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବି ସାମିଲ କରିଛି ଏଏସ୍ଅଆଇ। ଆଗରୁ ହାଇକୋର୍ଟରେ ଏଏସ୍ଆଇ ସତ୍ୟପାଠ ଦାଖଲ କରିଥିଲା ଯେ, ମେଘନାଦ ପାଚେରୀକୁ ଲାଗି ପ୍ରାଚୀର ନିର୍ମାଣ ଓ ପରିକ୍ରମା ପ୍ରକଳ୍ପ କାର‌୍ୟ୍ୟକୁ ଅନୁମତି ଦିଆଯାଇନାହିଁ। ଏନ୍ଏମ୍ଏ ଆକ୍ଟ ଅନୁସାରେ ଶହେ ମିଟର ପରିଧିରେ ନିର୍ମାଣ ବେଆଇନ ହୋଇଥିବାରୁ ପରିକ୍ରମା ପ୍ରକଳ୍ପକୁ ଅନୁମତି ଦିଆଯାଇନାହିଁ।

ଏହା ସତ୍ତ୍ୱେ ବିନା ଅନୁମତିରେ ଆଗେଇ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ପୁରୀର ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ମେଘନାଦ ପ୍ରାଚୀରର ୧୦୦ ମିଟର ଅଞ୍ଚଳ ହେଉଛି ନିଷିଦ୍ଧାଞ୍ଚଳ। ଏଠାରେ ଏଏସ୍ଆଇ ଡିଜିଙ୍କଠାରୁ ଅନୁମତି ଆଣି ନିର୍ମାଣ କାମ କରିବା କଥା। ହେଲେ ବିନା ଅନୁମତିରେ ଏଠାରେ କାମ ଚାଲିଛି। ଏହାକୁ ବିରୋଧ କରି ଏଏସ୍‌ଆଇ ପକ୍ଷରୁ କାମ ବନ୍ଦ କରିବାକୁ ଚିଠି ହେବା ସତ୍ତ୍ୱେ ଶୁଣୁ ନାହାନ୍ତି ସରକାର। ତେଣୁ ଏଏସ୍ଆଇ ଏହାକୁ ନିଜ ଅଣସ୍ୱୀକୃତିପ୍ରାପ୍ତ ତାଲିକାରେ ରଖିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଣସ୍ୱୀକୃତିପ୍ରାପ୍ତ ନିର୍ମାଣ ତାଲିକାରେ ଏଏସଆଇ ସାମିଲ କରି ସାରିଥିବା ବେଳେ ଆଗାମୀ ଦିନରେ ଏହାକୁ ଉଚ୍ଛେଦ କରିବାକୁ କାମ କରିପାରେ ବୋଲି ଆଲୋଚନା ହେଉଛି। ହେଲେ କାହିଁକି ଆଜି ଯାଏ ଏଏସ୍‌ଆଇ ପକ୍ଷରୁ ଏ ଦିଗରେ ଥାନାରେ ଏତଲା ଦିଆଗଲାନି, କୋର୍ଟର ଦ୍ୱାରସ୍ଥ ହେଲାନି ଏଏସ୍‌ଆଇ। ଏହି କାମକୁ ବନ୍ଦ କରିବାକୁ ଏଏସ୍‌ଆଇ କାହିଁକି କିଛି ବି ଆଗୁଆ ପଦକ୍ଷେପ ନେଇନି ବୋଲି ବର୍ତ୍ତମାନ ପ୍ରଶ୍ନ ଉଠୁଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts