ମିଳିଗଲା ପ୍ରସଙ୍ଗ, ପୁଣି ଏକାଠି ହେଲେ ବିରୋଧୀ

ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ମୁହାଁମୁହିଁ ମାମଲାରେ ମମତାଙ୍କ ସପକ୍ଷରେ ବାହାରିଛନ୍ତି ସବୁ ବିରୋଧୀ ଦଳ । କଂ‌ଗ୍ରେସ ସଭାପତି ରାହୁଲ ଗାନ୍ଧି, ଅଖିଳେଶ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଲାଲୁ ପ୍ରସାଦ ଯାଦବ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, ଶରଦ ଯାଦବ, ମାୟାବତୀ, ଓମାର ଅବଦୁଲ୍ଲା, ତେଜସ୍ବୀ ଯାଦବଙ୍କ ସମେତ ବହୁ ବିରୋଧୀ ଦଳ ନେତା ମମତାଙ୍କୁ ଫୋନ କରି ସମର୍ଥନ ଜଣାଇଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଆରଜେଡି ନେତା ତେଜସ୍ବୀ ଯାଦବ କୋଲକାତାରେ ମମତାଙ୍କୁ ନୈତିକ ସମର୍ଥନ ଜଣାଇଛନ୍ତି । ସେପଟେ ପୋଲିସ କମିସନରଙ୍କ ବାସଭବନ ଏବଂ ଧାରଣାସ୍ଥଳରେ ମମତାଙ୍କ ସମର୍ଥକଙ୍କ ଭିଡ଼ ଲାଗିଥିବାରୁ ଉତ୍ତେଜନା ପରିସ୍ଥିତି ଲାଗି ରହିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ତୃଣମୂଳ କଂଗ୍ରେସ କର୍ମୀମାନେ କୁଶପୁତ୍ତଳିକା ଦାହ କରିବା ସହିତ ବିକ୍ଷୋଭ କରୁଥିବା ମଧ୍ୟ ଜଣାପଡ଼ିଛି । ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି । ସିବିଆଇ ଅନ୍ତରୀଣ ମୁଖ୍ୟ ନାଗେଶ୍ବର ରାଓ କହିଛନ୍ତି, କୋଲକାତା ସିବିଆଇ ଅଫିସକୁ ତୃଣମୂଳ କଂଗ୍ରେସ କର୍ମୀମାନେ ଘେରି ରହିଛନ୍ତି।

ଅଫିସର ସୁରକ୍ଷା ଲାଗି ସିଆରପିଏଫ୍ ର ସହାୟତା ଲୋଡ଼ାଯାଇଛି। ମମତା ଧାରଣାରେ ବସିବା ପରେ ରାଜ୍ୟ ପୋଲିସ, ସିବିଆଇ ଅଫିସ ଆଗରୁ ହଟିଯାଇଛି । ସିବିଆଇ ଅଫିସକୁ ସୁରକ୍ଷା ଦେବା ଲାଗି ସିଆରପି ଫୋର୍ସ ମୁତୟନ ହୋଇଛନ୍ତି ।

Related Posts