ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜେଲରୁ ଖଲାସ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସମସ୍ତ ହତ୍ୟାକାରୀ। ରାଜୀବ ଗାନ୍ଧିଙ୍କୁ ବୋମା ବିସ୍ଫୋରଣରେ ହତ୍ୟା କରିଥିବା ସମସ୍ତ ୬ ହତ୍ୟାକାରୀ ଏବେ ଆଜୀବନ ଜେଲ ଦଣ୍ଡ ପାଇ ଜେଲରେ ସଜା କାଟୁଛନ୍ତି। କିନ୍ତୁ ଆଜି ସମସ୍ତଙ୍କୁ ସୁପ୍ରିମକୋର୍ଟ ଜେଲରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ତାମିଲନାଡୁ ସରକାର ଦୋଷୀଙ୍କୁ ଜେଲରୁ ଖଲାସ କରିବା ପାଇଁ ରାଜ୍ୟପାଳଙ୍କୁ ପୂର୍ବରୁ ପ୍ରସ୍ତାବ ଦେଇଥିଲେ। ଆଜି ସେମାନଙ୍କୁ ରିଲିଜ ପାଇଁ ଅର୍ଡର ଦେବାସହ ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତି ଯେ, ମେ’ ମାସରେ ହତ୍ୟା ଘଟଣାର ଅନ୍ୟତମ ଦୋଷୀ ପେରାରିଭାଲାନଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଜେଲରୁ ଖଲାସ କରିଥିଲେ। ୧୯୯୧ ମସିହା ମେ’ ୨୧ ତାରିଖରେ ରାଜୀବ ଗାନ୍ଧିଙ୍କୁ ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରିଥିଲେ। ଏଥିରେ ରାଜୀବ ଗାନ୍ଧି ଓ ଅନ୍ୟ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ମୁଖ୍ୟ ଖଳାନାୟକ ସୁପ୍ରିମକୋର୍ଟରେ ଜେଲରୁ ମୁକ୍ତି ପାଇଁ ଆବେଦନ କରିଥିଲେ। କୋର୍ଟ ଏହାର ଶୁଣାଣି କରି ସମସ୍ତ ଦୋଷୀଙ୍କୁ ଖଲାସ କରିବାକୁ କହିଛନ୍ତି। ଯଦି ସେମାନଙ୍କ ନାଁରେ ଆଉ କୌଣସି ମାମଲା ନାହିଁ, ତା’ହେଲେ ସେମାନେ ଜେଲରୁ ଖଲାସ ହୋଇପାରିବେ।
ଜଷ୍ଟିସ ବିଆର ଗବାଇ ଓ ଜଷ୍ଟିବ ବିଭି ନରରତ୍ନାଙ୍କ ଖଣ୍ଡପୀଠ ରାଜୀବ ଗାନ୍ଧିଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳୀନ, ସନଥାନ, ମୁରୁଗାନ, ଶ୍ରୀହରନ, ରବର୍ଡ ପାୟାସ ଓ ରବିଚନ୍ଦ୍ରନଙ୍କୁ ଜେଲରୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।





