
ଭୁବନେଶ୍ୱର: 85 ବର୍ଷ ବୟସରେ ଆଖି ବୁଜିଲେ ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି । ସେ ପଦ୍ମଶ୍ରୀ ସହ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ଓ ଶାରଳା ସମ୍ମାନରେ ସମ୍ମାନିତ ହୋଇଥିଲେ। ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ପୁସ୍ତକ ପାଇଁ ସୁଖ୍ୟାତି ପାଇଥିଲେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି। ତାଙ୍କ ବିୟୋଗରେ ଶୋକଛାୟା ଖେଳି ଯାଇଛି।
ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ହୋଇଥିଲା। ସେ ୧୯୫୩ ମସିହାରେ ମାଟ୍ରିକ୍ ଓ ୧୯୫୭ ମସିହାରେ ବିଏ ପାସ୍ କରିଥିଲେ। ୧୯୫୯ ମସିହାରେ ଅର୍ଥନୀତିରେ ରେଭେନ୍ସା କଲେଜରୁ ଏମ୍ଏ ପାସ୍ କରିଥିଲେ। ତା’ପରେ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ। ସେ ବିଭିନ୍ନ କଲେଜରେ ଅଧ୍ୟାପିକା ଭାବେ ଚାକିରି କରିଥିଲେ। ତେବେ ୧୯୯୨ ମସିହାରେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଚାକିରିରୁ ଅବସର ନେଇଥିଲେ।
ଅଧ୍ୟାପନା ଜୀବନ ଭିତରେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି ସାହିତ୍ୟ ପ୍ରତି ରୁଚି ରଖିଥିଲେ। ତାଙ୍କର ସାହିତ୍ୟିକ ଯାତ୍ରା ଜଣେ ଷ୍ଟୋରୀଟେଲର ଭାବେ ଆରମ୍ଭ ହୋଇଥିଲା। ୧୯୬୦ ମସିହାରେ ତାଙ୍କର ପ୍ରଥମ ଗପ ‘ଗୋଟିଏ ରାତିର କାହାଣୀ’ ପ୍ରକାଶ ପାଇଥିଲା। ତାଙ୍କର ଅନ୍ୟ ଲୋକପ୍ରିୟ ଗପ ମଧ୍ୟରେ ପାଟଦେଈ, ଖେଳଘର, ନଈକୁ ରାସ୍ତା, ବସ୍ତ୍ର ହରଣ, କସ୍ତୁରୀ ମୃଗ ଓ ସବୁଜ ଆରଣ୍ୟ ଏବଂ ମିଛି ମିଛିକା ରହିଛି। ଏହାଛଡ଼ା ସେ ହିନ୍ଦୀ, ଇଂଲିଶ, କନ୍ନଡ, ମାଲାୟାଲାମ୍, ମରାଠି, ବେଙ୍ଗଲୀ, ଉର୍ଦ୍ଦୁ, ତେଲୁଗୁ ଓ ରଷିଆନ୍ ଆଦି ଭାଷରୁ ଅନୁବାଦ ମଧ୍ୟ କରିଛନ୍ତି। ତାଙ୍କ ଦ୍ୱାରା ଲିଖିତ ସ୍କ୍ରିପ୍ଟରେ “ଅନ୍ଧକାରର ଛାଇ” ଫିଲ୍ମ ତିଆରି ହୋଇଥିଲା। ଏହି ଫିଲ୍ମ ଲୋକଙ୍କ ଆଦୃତି ପାଇଥିଲା ।
ଖବର ପାଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କେନ୍ଦ୍ର ସାହିତ୍ୟ ଏକାଡେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ପ୍ରମୁଖ ତାଙ୍କ ବାସଭବନରେ ଶେଷଦର୍ଶନ କରିଥିଲେ। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
ସେ ହେଉଛନ୍ତି କେନ୍ଦ୍ରାପଡ଼ା ସବ୍-ଡିଭିଜନ୍ ଚାନ୍ଦୋଳର ସ୍ବର୍ଗତ ଚତୁର୍ଭୁଜ ମହାନ୍ତି ଓ କୁମୁଦିନୀ ମହାନ୍ତିଙ୍କ ଝିଅ। ୧୯୩୬ ମସିହାରେ ଜନ୍ମ ଗ୍ରହଣ କରିଥିବା ବୀଣାପାଣି ମହାନ୍ତି କଲେଜ ଜୀବନରୁ କବିତା ଲେଖୁଥିଲେ। ବିଭିନ୍ନ ପତ୍ରପତ୍ରିକା ଓ ପୁସ୍ତକରେ ତାଙ୍କର ୨୦୦ରୁ ଅଧିକ କବିତା ପ୍ରକାଶ ପାଇଛି। ୧୯୬୫ ମସିହାରୁ ସେ କ୍ଷୁଦ୍ରଗଳ୍ପ ଲେଖିବା ଆରମ୍ଭ କରିଥିଲେ। ତାଙ୍କ ରଚିତ ୩୦ରୁ ଅଧିକ ଗଳ୍ପ ପୁସ୍ତକ ଓ ୩ଟି ଉପନ୍ୟାସ ପ୍ରକାଶ ପାଇଛି। ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ସଂକଳନ ‘ପାଟଦେଈ’ ୧୯୯୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ କରିଥିଲା। ତାଙ୍କ ରଚିତ ଗଳ୍ପ ଭାରତର ବିଭିନ୍ନ ଭାଷାରେ ଅନୁଦିତ ହୋଇଥିବା ବେଳେ କେତେକ ଗଳ୍ପ ଉର୍ଦ୍ଦୁ, ନେପାଳୀ ଓ ଋଷ ଭାଷାରେ ମଧ୍ୟ ଅନୁଦିତ ହୋଇଛି। ୧୯୯୨ରେ ଗାଙ୍ଗଟକ୍ରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମି ସମ୍ମେଳନରେ ସେ ଓଡ଼ିଆ ଭାଷା ସାହିତ୍ୟର ପ୍ରତିନିଧିତ୍ବ କରିଥିଲେ। ତାଙ୍କ ସାରସ୍ବତ ସୃଷ୍ଟି ନବତରଙ୍ଗ, ସାୟାହ୍ନର ସ୍ବର, ମଧ୍ୟାନ୍ତର, ଶକୁନିର ଚକ, ଅଭିନେତ୍ରୀ ଆଦି ଗଳ୍ପ ପୁସ୍ତକ, ମନସ୍ବିନୀ, କୁନ୍ତି କୁନ୍ତଳା ସକୁନ୍ତଳା ଭଳି ଉପନ୍ୟାସ, କବିତା ସଂକଳନ ଆସିବାର ବେଳ ଓ କ୍ରାନ୍ତି ଭଳି ଏକକ ଅଭିନୟ ପୁସ୍ତକ ସ୍ବତନ୍ତ୍ର ପାଠକୀୟ ଆଦୃତି ଲାଭ କରିଛି। ସାରସ୍ବତ ସାଧନା ପାଇଁ ତାଙ୍କୁ ଉତ୍କଳ ସାହିତ୍ୟ ସମାଜ, ବିଦ୍ୟାଭାରତୀ, କଳିଙ୍ଗଭାରତୀ, ସାରଳା ସାହିତ୍ୟ ସଂସଦ, ଓଡ଼ିଆ ସାହିତ୍ୟ ସମାଜ, କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ସମ୍ମାନିତ କରାଯାଇଥିଲା। ଜୀବନବ୍ୟାପୀ ସାଧନା ପାଇଁ ୨୦୨୦ରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରିଥିଲେ। ୨୦୧୦ରେ ଶାରଳା ପୁରସ୍କାର ଏବଂ ୨୦୧୯ରେ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ। ୧୯୬୦ ମସିହାରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିବା ବୀଣାପାଣି ମହାନ୍ତି ୧୯୯୨ରେ ଅବସର ଗ୍ରହଣ କରିଥିଲେ। ଜଣେ କବି ଭାବେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ। ତାଙ୍କର ବିୟୋଗରେ ବିଶିଷ୍ଟ ସାହିତ୍ୟିକ ତଥା ‘ସମ୍ବାଦ ସଂପାଦକ(ଫିଚର) ଡକ୍ଟର ଗୌରହରି ଦାସ, ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, କବି ଅମରେଶ ପଟ୍ଟନାୟକ, ଡାକ୍ତର ରବିରଞ୍ଜନ ସାହୁ, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ, ଗୀତିକବି ମନୋଜ ପଟ୍ଟନାୟକ ମଧ୍ୟ ଗଭୀର ଶୋକପ୍ରକାଶ କରିଛନ୍ତି