ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ସହ କଣ୍ଟ୍ରାକ୍ଟ ସାଇନ୍‌ କଲା ପ୍ରଶାନ୍ତ କିଶୋରଙ୍କ କମ୍ପାନୀ ଆଇ-ପ୍ୟାକ୍

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ସହ କଣ୍ଟ୍ରାକ୍ଟ ସାଇନ୍‌ କରିଛି ଆଇ-ପ୍ୟାକ୍ । ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ କମ୍ପାନୀ ହେଉଛି ଆଇ-ପ୍ୟାକ୍ । ତେବେ ତାଙ୍କ କମ୍ପାନୀ ଆଇ-ପ୍ୟାକ୍ ଅଣ କଂଗ୍ରେସ ପାର୍ଟିଙ୍କ ସହିତ ନିକଟବର୍ତ୍ତୀ ହେବା ପରେ ଏବେ ଚର୍ଚ୍ଚା ଜୋର ଧରିଛି । ସେପଟେ ପ୍ରଶାନ୍ତ କିଶୋର ନିଜେ କଂଗ୍ରେସର ନିକଟବର୍ତ୍ତି ହେଉଥିବା ବେଳେ କମ୍ପାନୀ ଅଣ କଂଗ୍ରେସର ହାତ ଧରିବା ବେଶ୍ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଗତ କିଛି ଦିନରେ ପ୍ରଶାନ୍ତ କିଶୋର ସୋନିଆ ଗାନ୍ଧି ଓ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଅନେକ ପର୍ଯ୍ୟାୟ ବୈଠକ କରିସାରିଲେଣି। ଏଥିରୁ ଯାହା ଜଣାପଡୁଛି ସେ ଖୁବ୍ ଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି।

ପ୍ରଶାନ୍ତ କଂଗ୍ରେସରେ ସାମିଲ ହେବା ସୂତ୍ରରେ କମ୍ପାନୀ ସହ କେ.ସି.ଆର.ଙ୍କ ପାର୍ଟିର ରାଜିନାମା ଦଳରେ କିଛି ନେତାଙ୍କୁ ଖଟକା ଲାଗିପାରେ। ତେବେ ପ୍ରଶାନ୍ତ କିଶୋର ଗତ ଶନିବାରଠାରୁ ହାଇଦ୍ରାବାଦସ୍ଥିତ କେ.ସି.ଆର.ଙ୍କ ଅଧିକାରୀକ ବାସଭବନରେ ଡେରା ପକାଇଛନ୍ତି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଆଇ-ପ୍ୟାକ୍ ପକ୍ଷରୁ ଟିଆରଏସ୍‌ର ନିର୍ବାଚନ ଅଭିଯାନ ଦାୟିତ୍ୱ ଋଷି ସିଂହଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏହି ସୂଚନା ଅନୁସାରେ ଆଗକୁ ଆଇ-ପ୍ୟାକ୍ ଓ ପ୍ରଶାନ୍ତ କିଶୋରଙ୍କ ରାସ୍ତା ଅଲଗା ଅଲଗା ହୋଇପାରେ।

ତେବେ ଏପର୍ଯ୍ୟନ୍ତ ପ୍ରଶାନ୍ତ କିଶୋର ଅଥବା ଆଇ-ପ୍ୟାକ୍‌ ପକ୍ଷରୁ କୌଣସି ବୟାନ ଜାରି ହୋଇ ନାହିଁ। ତେବେ ପିକେ ପ୍ରତ୍ୟେକ ଦିନ କୌଣସି ନା କୌଣସି କଂଗ୍ରେସ ନେତାଙ୍କୁ ଭେଟୁଥିବା ଜଣାପଡିଛି। କଂଗ୍ରେସକୁ ପିକେ ୬୦୦ ପୃଷ୍ଠାର ପ୍ରେଜେଣ୍ଟେସନ ଦେଇଛନ୍ତି। ଯେଉଁଥିରେ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ କେମିତି ବି ହେଲେ ୩୭୦ ପ୍ରାର୍ଥୀଙ୍କୁ ଛିଡା କରିବା ଲାଗି ପରାମର୍ଶ ଦିଆଯାଇଛି। ଏହା ଛଡା ତେଲେଙ୍ଗାନାରେ କେ.ସି.ଆର ଓ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ବି ସାଥୀରେ ନେବାକୁ କୁହାଯାଇଛି।

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପ୍ରଶାନ୍ତ କିଶୋର ଦେଉଥିବା ପ୍ରସ୍ତାବର ସମୀକ୍ଷା ଲାଗି ସୋନିଆ ଏକ ପୃଥକ ଟିମ୍ କରିଛନ୍ତି। ତେବେ କଂଗ୍ରେସ ଆଭ୍ୟନ୍ତରିଣ ସୂତ୍ରରୁ ମିଳୁଥିବା ସୂଚନାରେ ପ୍ରଶାନ୍ତ ଚଳିତମାସରେ କଂଗ୍ରେସରେ ସାମିଲ ହୋଇପାରନ୍ତି ।

Related Posts