ଉପନିର୍ବାଚନ ପୂର୍ବରୁ ଫୋକସରେ ପଦ୍ମପୁର; ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ହୋଇଛି। ବିଜୟଙ୍କ ଦେହାନ୍ତ ପରେ ଖୁବଶୀଘ୍ର ପଦ୍ମପୁରରେ ଉପ ନିର୍ବାଚନ ଘୋଷଣା ହେବ। ତେବେ ଏହି ଉପନିର୍ବାଚନରେ ପୁଣି ପଦ୍ମପୁର ଆସନ ହାତେଇବା ଲାଗି ବିଜେଡି ପ୍ରସ୍ତୁତି ଆରମ୍ଭ କରିଦେଇଛି । ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ବି ଆସନ୍ତା ମାସ ତୃତୀୟ ସପ୍ତାହରେ ଉପନିର୍ବାଚନ ନେଇ ବିଧିବଦ୍ଧ ଘୋଷଣା ହେବାର ସମ୍ଭାବନା ରହିଛି । ଏହାକୁ ନେଇ ରାଜନୈତିକ ଉଷ୍ମତା ମଧ୍ୟ ଦେଖିବାକୁ ମିଳିଛି ।

ଏହାରି ଭିତରେ ଆଜି ରାଜ୍ୟ ସରକାର ପଦ୍ମପୁର ଲାଗି ସ୍ୱତନ୍ତ୍ର ଘୋଷଣା କରିଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ପ୍ରକଳ୍ପ ପାଇଁ ଆଜି ରାଜ୍ୟ ସରକାର ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭିସି ଜରିଆରେ ଅଞ୍ଚଳର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି ।

ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ସମସ୍ତଙ୍କ ସହଯୋଗରେ ପଦ୍ମପୁର ଅଞ୍ଚଳ ବିକାଶର ଏକ ମଡେଲ ହୋଇପାରିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ପଦ୍ମପୁର ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏ ସବୁ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିକାଶର ଏହି ଧାରା ଆହୁରି ଆଗକୁ ବଢିବ ବୋଲି ମଧ୍ୟ ସେ କହିଛନ୍ତି । ବିକାଶ ହେଉଛି ଆମର ପରିଚୟ। ଚାଷୀ, ମହିଳା, ଯୁବବର୍ଗ ମାନଙ୍କୁ ସଶକ୍ତ କରି ସାରା ଓଡିଶାକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ପଦ୍ମପୁର ଓଡିଶାର ଭାତହାଣ୍ଡି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାକୁ ସବୁଠାରୁ ଅଧିକ ଚାଉଳ ପଦ୍ମପୁର ହିଁ ଯୋଗାଇ ଦେଉଛି । ପଦ୍ମପୁରର ଚାଷୀମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କାର ୨୦ଟି ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଥିଲେ । ତା ସହିତ କୃଷି ବଜାର ଭିତ୍ତିଭୂମି ବିକାଶ ପାଇଁ ୧୮ କୋଟି ୪୮ ଲକ୍ଷ ଟଙ୍କାର ପ୍ରକଳ୍ପ କାମ ମଧ୍ୟ ଆରମ୍ଭ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବରଗଡ଼, ପଦ୍ମପୁର ଅଞ୍ଚଳର ଅନେକ ଚାଷୀ ଏ ପର୍ଯ୍ୟନ୍ତ ଶଷ୍ୟବୀମା ଟଙ୍କା ପାଇନାହାନ୍ତି .ଆପଣ ମାନେ ଜାଣନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭରତ ସରକାରଙ୍କ ଯୋଜନା. ତେଣୁ ଭରତ ସରକାର ଙ୍କ ସହ ଆପଣ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ ପାଇଁ ମୁଁ ବାରମ୍ବାର ଚେଷ୍ଟା ଜାରୀ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ

ଏହାସହିତ ପଦ୍ମପୁରରେ ଯୋଗାଯୋଗର ବିକାଶ ପାଇଁ ୨୬୦ କୋଟି ଟଙ୍କାରେ ୩୮ଟି ସେତୁ ଓ ୧୩୬ କୋଟି ଟଙ୍କାରେ ୨୫ଟି ରାସ୍ତା କାମର ଶୁଭାରମ୍ଭ କରାଯିବା ସହିତ ୯ କୋଟି ଟଙ୍କାରେ ଗ୍ରାମ୍ୟ ଭିତ୍ତିଭୂମି ପ୍ରକଳ୍ପ, ୬୦ ଲକ୍ଷ ଟଙ୍କାରେ ୪ଟି ଗ୍ରାମୀଣ ବଜାର ଓ ୪ କୋଟି ୨୨ ଲକ୍ଷ ଟଙ୍କାରେ ୧୬ଟି ପୌରାଞ୍ଚଳ ଭିତ୍ତିଭୂମି ଯୋଜନା ମଧ୍ୟ ଆରମ୍ଭ କରାଯାଇଛି । ପ୍ରଭୁ ନୃସିଂହନାଥଙ୍କ ଆଶୀର୍ବାଦ ପଦ୍ମପୁର ମାଟିକୁ ପବିତ୍ର କରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ଥାନୀୟ ଲୋକଙ୍କ ରୋଜଗାର ବଢାଇବା ପାଇଁ ଏ ପୀଠର ବିକାଶ ପାଇଁ କାମ ଆରମ୍ଭ ହୋଇଛି । ନୃସିଂହନାଥ ଓ ବେଦ ବରାହ ପୀଠର ବିକାଶ ପାଇଁ ୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଥିଲେ ।

ସେହିପରି ଶିକ୍ଷାର ବିକାଶରେ ୫-ଟି ସ୍କୁଲ ରୂପାନ୍ତର ବିଶେଷ ଭୂମିକା ନେଇଛି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ପଦ୍ମପୁରର ୩୦ଟି ହାଇସ୍କୁଲର ରୂପାନ୍ତର ହୋଇଛି । ଆଉ ୪୪ଟି ପାଇଁ କାମ ଆରମ୍ଭ ହୋଇଛି ବୋଲି ସେ କହିଥିଲେ।

ଏହା ସହିତ ଆଜି ପଦ୍ମପୁର ଅଞ୍ଚଳର ୩ଟି ବ୍ଲକ୍‌ ଓ ସହରାଞ୍ଚଳ ପାଇଁ ୩୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଉଦ୍‌ଘାଟିତ ହୋଇଥିଲା। ଏଥିରେ ୨୦ଟି କଲ୍ୟାଣମଣ୍ଡପ ସହିତ ପଞ୍ଚାୟତ ଭବନ, ଗ୍ରାମୀଣ ବଜାର ଓ କମନ୍ ଫାସିଲିଟି ସେଣ୍ଟର କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ଭଟଲୀ ବିଧାୟକ ସୁଷାନ୍ତ ସିଂ, ବରଗଡ ବିଧାୟକ ଦେବେଶ ଆଚାର୍ୟ୍ୟ ଓ ଅତାବିରା ବିଧାୟକ ସ୍ନେହାଙ୍ଗୀନି ଛୁରିଆ ପ୍ରମୁଖ ଯୋଗ ଦେଇଥିଲେ ।

Related Posts