
ନୟାଗଡ଼ : ନୟାଗଡ଼ ବନ ବିଭାଗକୁ ମିଳିଛି ସଫଳତା । ଜଣେ ବ୍ୟକ୍ତିଙ୍କ ଠାରୁ ବାଘ ଛାଲ ସହ ତାଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ବ୍ୟକ୍ତି ଚଣ୍ଡିବସ୍ତ ଗ୍ରାମର କୃପାସିନ୍ଧୁ ବିଶ୍ବାଳ । କୃପାସିନ୍ଧୁଙ୍କ ଘରୁ ବାରୁଦ ଓ ଗୁଳି ଜବତ ହୋଇଛି । କଦଳିଗଡ ଅଞ୍ଚଳରୁ ବାଘ ଶିକାର କରାଯାଇଥିବା ଅଭିଯୁକ୍ତ ସ୍ବୀକାର କରିଥିବା ଡିଏଫଓ କହିଛନ୍ତି । ପ୍ରାୟ ୧୦ବର୍ଷର ଏହି ବାଘଟିକୁ ଦୁଇଟି ଗୁଳିମାରି ଏକବର୍ଷ ତଳେ ମରାଯାଇଥିବା ବନବିଭାଗ ତଦନ୍ତରୁ ଜାଣିପାରିଛି ।
ଗତକାଲି କୃପାସିନ୍ଧୁ ଏକ ବାଇକରେ ବାଘଛାଲ ନେଇ ଖଣ୍ଡପଡା ଅଞ୍ଚଳକୁ ଯାଉଥିବାବେଳେ ବିଶେଷସୂତ୍ରରୁ ଖବରପାଇ ବନବିଭାଗର ଟିମ୍ ପାଣିପୋଇଲା ନିକଟ ରାସ୍ତାରେ ମାଡିବସିଥିଲା । ପରେ ରାତିରେ ତା ଘରେ ଚଢାଉ କରି ବାରୁଦ, ଗୁଳି ଏବଂ ଶିକାର ପାଇଁ ବ୍ୟବହୃତ ତାର ଜବତ କରିଛି ବନବିଭାଗ । ତେବେ ବନ୍ଧୁକ ଜବତ କରିବାରେ ବିଫଳ ହୋଇଛି ବନବିଭାଗ । କୃପାସିନ୍ଧୁ ଜଣେ ପେଷାଗତ ଶିକାରୀ ଏବଂ ସେ କିଛିଦିନ ତଳେ ଏକ ବାରାହା ଶିକାର କରିଥିଲା ବୋଲି ଡିଏଫଓ କହିଛନ୍ତି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବାବେଳେ ଅଧିକ ତଦନ୍ତ ଚାଲିଥିବା ସେ କହିଛନ୍ତି ।