ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୋସିଆଲ ମିଡିଆରେ ଚାଲିଥିବା ଭାରତ ବିରୋଧୀ ଅଭିଯାନ ପଛରେ ରହିଛି ପାକିସ୍ତାନ । ତେବେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଦ୍ବାରା ଦିଆଯାଇଥିବା ଇସଲାମ ବିରୋଧୀ ମନ୍ତବ୍ୟକୁ ନେଇ ଆରବ ଜଗତରେ ପ୍ରବଳ ବିରୋଧ ଦେଖାଦେଇଛି । କେବଳ ଏତିକି ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଏନେଇ ଅଭିଯାନ ଚାଲିଛି । ଯାହାଫଳରେ ଏହି ଅସନ୍ତୋଷ ଆହୁରି ବଢ଼ିବାରେ ଲାଗିଛି । ଏପରିକି ସୋସିଆଲ ମିଡିଆରେ ଭାରତ ବିରୋଧୀ ହ୍ୟାସଟ୍ୟାଗ ଅଭିଯାନ ଟ୍ରେଣ୍ଡ କରୁଛି । ଏସବୁ ଅଭିଯାନ ପଛରେ ପାକିସ୍ତାନ ରହିଛି ବୋଲି ସୂଚନା ମିଳିଛି । ସେପଟେ ସୋସିଆଲ ମିଡିଆରେ ଭାରତ ବିରୋଧୀ ଅଭିଯାନ ଚଳାଇବା ପାଇଁ ପାକିସ୍ତାନ ପକ୍ଷରୁ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି କାର୍ୟ୍ୟକାରୀ କରାଯାଉଛି ।
ଭାରତ ଓ ଆରବ ଜଗତ ମଧ୍ୟରେ ବଢିଚାଲିଥିବା ଘନିଷ୍ଠତା ଯେପରି ଭାଙ୍ଗିଯାଏ ସେ ଦିଗରେ ପାକିସ୍ତାନ କାମ କରୁଛି । ପାକିସ୍ତାନି ହ୍ୟାକରମାନେ ବିଭିନ୍ନ ଲୋକଙ୍କ ନାଁରେ ନକଲି ଟ୍ବିଟର, ଫେସବୁକ ହ୍ୟାଣ୍ଡେଲ ଖୋଲି ଭାରତ ବିରୋଧୀ ଅଭିଯାନ ଚଳାଉଛି । ମାତ୍ର ଏହାର ପ୍ରଭାବ ଆରବ ଦେଶର ଲୋକମାନଙ୍କ ଉପରେ ପଡ଼ୁଛି । ଏହି ଅଭିଯାନର ଶିକାର ହୋଇ ସେମାନେ ଭାରତକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ଅନ୍ୟପଟେ ଗତ ରବିବାରଦିନ ଇସଲାମ ବିରୋଧୀ ମନ୍ତବ୍ୟ ପାଇଁ ବିଜେପି ପକ୍ଷରୁ ଦୁଇ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନୂପୁରଙ୍କୁ ନିଲମ୍ବିତ କରାଯିବା ସହ ନବୀନଙ୍କୁ ବହିଷ୍କାର କରାଯାଇଥିଲା ।





