ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ବଡ଼ ଘୋଷଣା: ସରକାରୀ କର୍ମଚାରୀଙ୍କ ବେତନ ଏବଂ ପେନ୍‌ସନ୍‌ରେ ୧୦ ପ୍ରତିଶତ ବୃଦ୍ଧି

ପାକିସ୍ତାନ: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ବଡ଼ ଘୋଷଣା । ସରକାରୀ କର୍ମଚାରୀଙ୍କ ବେତନ ଏବଂ ପେନ୍‌ସନ୍‌ରେ ୧୦ ପ୍ରତିଶତ ବୃଦ୍ଧି ସହ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ୨୫୦୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି ଶେହବାଜ।

ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ସେ ତାଙ୍କର ପ୍ରଥମ ଭାଷଣ ଦେବାବେଳେ ଏହି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଶେହବାଜ୍ କହିଛନ୍ତି ଯେ, ଆଜି ପାକିସ୍ତାନକୁ ଭଗବାନ ବଞ୍ଚାଇଦେଇଛନ୍ତି ଏବଂ ଦେଶର ୨୨ କୋଟି ଲୋକଙ୍କୁ ଉଦ୍ଧାର କରିଛନ୍ତି। ପ୍ରଥମ ଥର ପାଇଁ ପାକିସ୍ତାନ ସଂସଦରେ ଅନାସ୍ଥା ଭୋଟ୍ ସଫଳତାର ସହିତ ପାରିତ ହୋଇଛି। ଆଗକୁ ଦେଶବାସୀ ଏହି ଦିନକୁ ଖୁସିର ସହ ପାଳନ କରିବେ ନିଶ୍ଚୟ।

ଅନ୍ୟପକ୍ଷରେ, କିଛି ସମୟ ମଧ୍ୟରେ ଶପଥ ଗ୍ରହଣ ସମାରୋହ ହେବାକୁ ଥିବା ବେଳେ ରାଷ୍ଟ୍ରପତି ଅରିଫ ଅଲବିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଛି। ଏଥିପାଇଁ ଏବେ ଶେହବାଜଙ୍କୁ ରାଷ୍ଟ୍ରପତି ଅରିଫ ଅଲବିଙ୍କ ପରିବର୍ତ୍ତେ ବାଚସ୍ପତି ଅୟାଜ ସାଦିକ୍ ଶପଥ ପାଠ କରାଇବେ ବୋଲି ଜଣାପଡ଼ିଛି।

ତେବେ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦୌଡ଼ରୁ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଓହରିବା ପରେ ନିର୍ଦ୍ବନ୍ଦ୍ବରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ପିଏମଏଲ-ଏନ ନେତା ଶେହବାଜ୍ ଶରିଫ୍। କାଲି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ କୁରେଶୀ। ହେଲେ ଏବେ ମତଦାନର ଅବ୍ୟବହିତ ପୂର୍ବରୁ ସେ ନିଜ ପ୍ରାର୍ଥୀତ୍ବ ଫେରାଇ ନେଇଥିଲେ। କୁରେଶୀ ଦୌଡ଼ରୁ ଓହରିବା ପରେ ପିଏମଏଲ-ଏନ ନେତା ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଅନାସ୍ଥା ଭୋଟରେ ସରକାର ପରାଜିତ ହେବା ପରେ ଇମ୍ରାନଙ୍କର ପ୍ରାୟ ସାଢ଼େ ୩ ବର୍ଷ ଶାସନର ଅନ୍ତ ଘଟିଥିଲା। ପାକିସ୍ତାନର ୭୫ ବର୍ଷ ଇତିହାସରେ ଇମ୍ରାନ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯେ କି ଅନାସ୍ଥା ଭୋଟରେ ହାରି ପଦଚ୍ୟୁତ ହୋଇଛନ୍ତି। ନିର୍ବାଚନ ସମୟରେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଏବଂ ଅର୍ଥନୀତି ପରିଚାଳନାରେ ବିଫଳ ଅଭିଯୋଗ ତାଙ୍କ ବିରୋଧରେ ସହଯୋଗୀ ଦଳଗୁଡ଼ିକ ପ୍ରଥମେ ଆଣିଥିଲେ। ୩୪୨ ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ୧୭୪ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ।

Related Posts